ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ କାନାଡ଼ାର ଆତଙ୍କୀ ସଂଗଠନ ଘୋଷଣା
କାନାଡ଼ା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି କାନାଡ଼ା। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ପରେ କାନାଡ଼ାର କୌଣସି ନାଗରିକ ଏହି ଗ୍ୟାଙ୍ଗକୁ ଆର୍ଥିକ ସହାୟତା ଦେବା ଅଥବା ଗ୍ୟାଙ୍ଗ ପାଇଁ କାର୍ଯ୍ୟ କରିବା ଅପରାଧ ବୋଲି ବିବେଚନା କରାଯିବ।
ବିଷ୍ଣୋଇ ଗ୍ୟାଙ୍ଗ ଭାରତରୁ ସଞ୍ଚାଳିତ ହେଉଛି। ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ଜେଲ ଭିତରେ ରହି ମୋବାଇଲ ଫୋନ ଜରିଆରେ ଗ୍ୟାଙ୍ଗର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। କାନାଡ଼ା ସରକାର ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ଏହି ଗ୍ୟାଙ୍ଗ ହତ୍ୟା, ଗୁଳିକାଣ୍ଡ ଭଳି ଅନେକ ଅପରାଧରେ ସାମିଲ ରହିଛି। ବିଶେଷ କରି କାନାଡ଼ାରେ ରହୁଥିବା ମୂଳ ଭାରତୀୟ, ସେମାନଙ୍କ ବ୍ୟବସାୟ ଏବଂ ସାଂସ୍କୃତିକ ପରିଚୟକୁ ଟାର୍ଗେଟ କରୁଛି।
