Un assembly trump 90 1758638860590 1758638927382

ଭାରତ-ପାକ୍‌ ସମେତ ୭ ଯୁଦ୍ଧ ବନ୍ଦ କରିଛି: ଟ୍ରମ୍ପ

Spread the love

ନ୍ୟୁୟର୍କ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସହିତ ବିଶ୍ବର ୭ଟି ଯୁଦ୍ଧକୁ ବନ୍ଦ କରିଥିବାର ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମଙ୍ଗଳବାର ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ପରିଷଦର ୮୦ତମ ସମାବେଶକୁ ସମ୍ବୋଧନ କାଳରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ୭ମାସ ମଧ୍ୟରେ ସେ ୭ଟି ଯୁଦ୍ଧକୁ ବନ୍ଦ କରିଛନ୍ତି। ଏହା ମଧ୍ୟରେ ଅନେକ ଯୁଦ୍ଧ ରହିଛି ଯାହା ଦୀର୍ଘ ତିନି ଦଶନ୍ଧି ଧରି ଲାଗି ରହିଥିଲା। ଏହିସବୁ ଯୁଦ୍ଧ ଶେଷ ହେବାର ନଥିଲା। ମାତ୍ର ତାଙ୍କର ହସ୍ତକ୍ଷେପ ପରେ ଏହି ଅସମାହିତ ଯୁଦ୍ଧର ଅନ୍ତ ଘଟିଛି। ଟ୍ରମ୍ପ ବିଶ୍ବ ନେତାଙ୍କୁ କହିଛନ୍ତି ଯେ ସେ ଯେଉଁ କାମ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଅସମ୍ଭବ କାର୍ଯ୍ୟ। ଟ୍ରମ୍ପ ଯେଉଁସବୁ ଯୁଦ୍ଧର ଅନ୍ତ ଘଟାଇଥିବାର ଦାବି କରିଛନ୍ତି ତା’ର ତାଲିକା ଦେଇଛନ୍ତି। ଏହା ମଧ୍ୟରେ ରହିଛି ଭାରତ-ପାକିସ୍ତାନ ଯୁଦ୍ଧ। ଅପରେସନ ସିନ୍ଦୂର ପରବର୍ତ୍ତୀ ଭାରତ-ପାକିସ୍ତାନ ସାମରିକ ସଂଘର୍ଷର ଅସ୍ତ୍ରବିରତି ପଛରେ ତାଙ୍କର ହାତ ଥିବା ନେଇ ଟ୍ରମ୍ପ ବାରମ୍ବାର ଦାବି କରିଆସୁଛନ୍ତି। ଟ୍ରମ୍ପଙ୍କ ଏହି ଦାବିକୁ ଉଭୟ ଭାରତ ଓ ପାକିସ୍ତାନ ଖଣ୍ଡନ କରିଛନ୍ତି। ଏହା ସତ୍ତ୍ବେ ଟ୍ରମ୍ପ ତାଙ୍କ ଦାବିକୁ ଜାତିସଂଘରେ ଉଠାଇଛନ୍ତି। ଟ୍ରମ୍ପ ବନ୍ଦ କରିଥିବା ଅନ୍ୟ ଯୁଦ୍ଧ ମଧ୍ୟରେ ରହିଛି ଇସ୍ରାଏଲ-ଇରାନ, ଇଜିପ୍ଟ-ଇଥିଓପିଆ, ଆର୍ମେନିଆ-ଆଜରବୈଜାନ, କମ୍ବୋଡିଆ-ଥାଇଲାଣ୍ଡ-ସର୍ବିୟା, କଙ୍ଗୋ-ରୱାଣ୍ଡା।

ଟ୍ରମ୍ପ କହିଛନ୍ତି ଯେ ବିଶ୍ବର ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବାର ଦାୟିତ୍ବ ଜାତିସଂଘ ଉପରେ ନ୍ୟସ୍ତ। ମାତ୍ର ଜାତିସଂଘ ଏହି ପରିବର୍ତ୍ତେ ସେ ଦାୟିତ୍ବ ନିର୍ବାହ କରିଛନ୍ତି। ଏପରି ଦାୟିତ୍ବ ନିର୍ବାହ ପାଇଁ ଜାତିସଂଘ ପକ୍ଷରୁ ତାଙ୍କୁ କୌଣସି ଧନ୍ୟବାଦ କିମ୍ବା ଅଭିନନ୍ଦନ ଜଣାଯାଇ ନାହିଁ। ଏପରି କି ଜାତିସଂଘ ତାଙ୍କୁ ଥରଟିଏ ହେଲେ ଫୋନ କରି ନାହିଁ। ବିଶ୍ବବ୍ୟାପୀ ବିଭିନ୍ନ ଯୁଦ୍ଧକୁ ବନ୍ଦ କରିବା ଲାଗି ସେ ଏହାର ରାଷ୍ଟ୍ରନେତାଙ୍କ ସହିତ ଆଲୋଚନା କରିଥିଲେ। ଏହିସବୁ ଯୁଦ୍ଧ ପାଇଁ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏପରି କି ନୋବେଲ ଶାନ୍ତି ପୁରସ୍କାର ଲାଗି ତାଙ୍କ ନାମ ସୁପାରିସ କରିବାକୁ ଟ୍ରମ୍ପ ଅନ୍ୟମାନଙ୍କ ଉପରେ ଚାପ ପକାଇଛନ୍ତି। ଟ୍ରମ୍ପ ଆଜି ଜାତିସଂଘରେ ଉଦ୍‌ବୋଧନ ଦେବା ଆରମ୍ଭ କରିବା ସମୟରେ ଟ୍ରେଲିପ୍ରମ୍ପଟର ଅଚଳ ହୋଇଯାଇଥିଲା। ଫଳରେ ସେ କାଗଜ ଦେଖି ତାଙ୍କ ଭାଷଣ ଦେଇଥିଲେ। ସେହିପରି ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଜାତିସଂଘ ମୁଖ୍ୟାଳୟକୁ ପ୍ରବେଶ କରିବା ସମୟରେ ଏସ୍‌କାଲେଟରଟି ହଠାତ୍ ବନ୍ଦ ହୋଇଯାଇଥିଲା।

ଅନ୍ୟପଟେ ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ମସ୍କୋକୁ ଭାରତ ଓ ଚୀନ ପାଣ୍ଠି ଯୋଗାଉଛନ୍ତି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁଷ୍‌ ଠାରୁ ଭାରତ ଓ ଚୀନ ତୈଳ କିଣିବା ପୂର୍ବକ ମସ୍କୋକୁ ପରୋକ୍ଷରେ ପାଣ୍ଠି ଯୋଗାଣ କରୁଛନ୍ତି। ଆଉ ଏହି ପାଣ୍ଠି ବଳରେ ରୁଷ୍ ଅସ୍ତ୍ରଶସ୍ତ୍ର ତିଆରି କରି ୟୁକ୍ରେନ ବିରୋଧରେ ଲଢେଇ କରୁଛି। ତେଣୁ ବିଶ୍ବ ସମୁଦାୟ ରୁଷ୍‌କୁ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣ ବନ୍ଦ କରିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁଷ୍‌କୁ ପାଣ୍ଠି ଯୋଗାଣ ବନ୍ଦ ହୋଇଗଲେ ଯୁଦ୍ଧ ଆପେ ଆପେ ବନ୍ଦ ହୋଇଯିବ।

Leave a Reply

Your email address will not be published. Required fields are marked *