Cji

ପ୍ରଧାନ ବିଚାରପତିଙ୍କ ବୟାନ ପ୍ରତ୍ୟାହାର ଦାବି କରି ପତ୍ର ଲେଖିଲେ ଓକିଲ

Spread the love

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଜୁରାହୋରେ ଏକ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତିର ପୁନରୁଦ୍ଧାର ସହ ଜଡିତ ଏକ ଆବେଦନର ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ବାରା ଦିଆଯାଇଥିବା ମନ୍ତବ୍ୟକୁ ନେଇ   ବିବାଦ ଉପୁଜିଛି।  ଏନେଇ ସମାଲୋଚନାର ଜବାବରେ ଆଜି ପ୍ରଧାନ ବିଚାରପତି ବିଆର୍ ଗୱାଇ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଛି ଏବଂ ସେ ସମସ୍ତ ଧର୍ମକୁ ସମ୍ମାନ କରନ୍ତି। ସୋସିଆଲ ମିଡ଼ିଆରେ ଏହି ମନ୍ତବ୍ୟ ଭାଇରାଲ ହେବା ପରେ ଅନେକ ନେଟିଜେନ୍ ପ୍ରଧାନବିଚାରପତିଙ୍କୁ ସମାଲୋଚନା କରିଥିଲେ। ଏହା ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କିଛି ଓକିଲ ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଥିବା ବେଳେ ଆଉ କିଛି ନେଟିଜେନ୍ ମହାଭିଯୋଗ ଦ୍ବାରା ତାଙ୍କୁ ଗାଦିଚ୍ୟୁତ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ଗୱାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କ୍ଷତିଗ୍ରସ୍ତ ବିଷ୍ଣୁ ମୂର୍ତ୍ତି  ପୁନରୁଦ୍ଧାର ଆବେଦନକୁ ଖାରଜ କରି କହିଥିଲେ ଯେ, ଏହି ମାମଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଅଧୀନରେ ଅଛି ଏବଂ କିଛି ହସ୍ତକ୍ଷେପ ପାଇଁ ‘ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କରନ୍ତୁ’। ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଖଜୁରାହୋ ମନ୍ଦିର ପରିସରସ୍ଥ ଜାଭରି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ୭ ଫୁଟ ଉଚ୍ଚତା ବିଶିଷ୍ଟ ମୁଣ୍ଡଭଙ୍ଗା ମୂର୍ତ୍ତିକୁ ପୁନରୁଦ୍ଧାର କରିବାକୁ ସୁପ୍ରିମ୍‌କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଏହି ଆବେଦନରେ ଅନୁରୋଧ କରାଯାଇଥିଲା। ଆବେଦନକାରୀ ଦାବି କରିଥିଲେ ଯେ, ମୋଗଲ ଆକ୍ରମଣ ସମୟରେ ଏହି ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଥିଲା ଏବଂ କର୍ତ୍ତୃପକ୍ଷଙ୍କୁ ଅନେକ ଥର ନିବେଦନ କରିଥିଲେ ମଧ୍ୟ ଏହାର ପୁନରୁଦ୍ଧାର କିମ୍ବା ମରାମତି କରାଯାଇ ନ ଥିଲା।

ଏହି ରାୟ ସାର୍ବଜନୀନ ହେବା ପରେ ପ୍ରଧାନ ବିଚାରପତି ତାଙ୍କ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ। ପ୍ରଧାନ ବିଚାରପତିଙ୍କ ମହାଭିଯୋଗ ପାଇଁ ଆହ୍ବାନ କରୁଥିବା ପୋଷ୍ଟ ମଧ୍ୟ ଭାଇରାଲ ହୋଇଥିଲା। ବ୍ୟବହାରକାରୀମାନେ ଜୋର୍‌ ଦେଇ କହିଥିଲେ ଯେ ଏହି ମନ୍ତବ୍ୟ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଅନେକ ଓକିଲ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଭଗବାନ ବିଷ୍ଣୁ ଓ ସନାତନ ଧର୍ମ ବିରୋଧରେ ତାଙ୍କ ବିବୃତି ପ୍ରତ୍ୟାହାର କରିବାକୁ କହିଛନ୍ତି। ଆଡଭୋକେଟ୍ ବିନୀତ ଜିନ୍ଦଲ ମଧ୍ୟ ତାଙ୍କ ଚିଠିର ଏକ ନକଲ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ଜିନ୍ଦଲ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, ମୁଁ ଆଶା କରୁଛି ଯେ ସୁପ୍ରିମ୍‌କୋର୍ଟ ଓ ରାଷ୍ଟ୍ରପତି ଏହି ମାମଲାକୁ ଗମ୍ଭୀରତାର ସହ ବିଚାର କରିବେ ଏବଂ ପ୍ରତ୍ୟେକ ଧର୍ମର ସମ୍ମାନ ରକ୍ଷା କରିବେ। ଅନ୍ୟ ଜଣେ ଓକିଲ ସତ୍ୟମ ସିଂହ ରାଜପୁତ ପ୍ରଧାନବିଚାରପତି ଗୱାଇଙ୍କୁ ଏକ ଖୋଲା ଚିଠି ଲେଖି ତାଙ୍କ ମନ୍ତବ୍ୟର ପୁନର୍ବିଚାର କରିବାକୁ କହିଛନ୍ତି। ରାଜପୁତ ତାଙ୍କ ଚିଠିରେ ପ୍ରଧାନ ବିଚାରପତିଙ୍କୁ ସ୍ପଷ୍ଟୀକରଣ ଦେବାକୁ ଅନୁରୋଧ କରିଛନ୍ତି।

ଆଜି  ପ୍ରଧାନ ବିଚାରପତି କହିଛନ୍ତି, କେହି ଜଣେ ମୋତେ କହିଥିଲେ ଯେ ମୁଁ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ମୁଁ ସମସ୍ତ ଧର୍ମକୁ ସମ୍ମାନ କରେ। ସୋସିଆଲ ମିଡିଆ ମନ୍ତବ୍ୟକୁ ସମାଲୋଚନା କରି ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଏହା ସାଂଘାତିକ। ଆମେ ନିଉଟନଙ୍କ ନିୟମ ଜାଣିଥିଲୁ ଯେ ପ୍ରତ୍ୟେକ କାର୍ଯ୍ୟର ସମାନ ପ୍ରତିକ୍ରିୟା ଅଛି, ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟର ସୋସିଆଲ ମିଡିଆରେ ଅନୁପଯୁକ୍ତ ପ୍ରତିକ୍ରିୟା ଅଛି।  ଏଭଳି ବୟାନ ଅଯଥା ଅନର୍ଥ ସୃଷ୍ଟିକରେ ବୋଲି ମେହଟା କହିଛନ୍ତି।

Leave a Reply

Your email address will not be published. Required fields are marked *