Untitled 1

କଂଗ୍ରେସ ନେତାଙ୍କ ସ୍ୱାଗତ ବ୍ୟାନରରେ ଭାରତର ଭୁଲ ମାନଚିତ୍ର, ବିଜେପି କହିଲା-ନୂଆ ମୁସଲିମ୍ ଲିଗ୍…

Spread the love

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ କାର୍ଯ୍ୟକାରୀ ସମିତି (ସିଡବ୍ଲୁସି) ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ନେତାଙ୍କୁ ସ୍ୱାଗତରେ ଦଳ ପକ୍ଷରୁ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ତେବେ ଏହି ପୋଷ୍ଟରକୁ ନେଇ ବିବାଦ ବଢିଛି । କଂଗ୍ରେସ ନେତାଙ୍କ ପୋଷ୍ଟର ଓ ବ୍ୟାନରରେ ଭାରତ ମାନଚିତ୍ରକୁ ବିକୃତ କରାଯାଇଥିବା ଅଭିଯୋଗ ହୋଇଛି । ବେଲଗାଭି ସହରର ପ୍ରବେଶ ଦ୍ୱାରରେ ଲଗାଯାଇଥିବା ବ୍ୟାନରରେ ଭାରତର ଯେଉଁ ମାନଚିତ୍ରକୁ ସ୍ଥାନ ଦିଆଯାଇଛି, ସେଥିରେ ପିଓକେ ଏବଂ ଅକ୍ସାଇ ଚୀନ ନାହିଁ । ବିଜେପି ଏହି ମାମଲାରେ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହ ଦଳକୁ ନୂଆ ମୁସଲିମ୍ ଲିଗ୍ ରୂପେ ଅଭିହିତ କରିଛି ।
ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ଡିସେମ୍ୱର ୨୬ ଏବଂ ୨୭ ଦୁଇ ଦିନ ଧରି ବେଲଗାଭିରେ ବୈଠକ ହେବ । କଂଗ୍ରେସ ପାର୍ଟି ଚଳିତ ବର୍ଷକୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବଶନର ଶତାବ୍ଦୀ ବର୍ଷ ରୂପେ ପାଳନ କରୁଛି । ୧୯୨୪ ମସିହାରେ ମହାତ୍ମା ଗାନ୍ଧୀ କଂଗ୍ରେସର ବେଲଗାଭି ଅଧିବେଶନର ଅଧ୍ୟକ୍ଷତା କରିଥିଲେ । କଂଗ୍ରେସର ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ସାମିଲ ହେବେ ।
କଂଗ୍ରେସ ଭାରତ ମାନଚିତ୍ରକୁ ବିକୃତ କରିଥିବା ବିଜେପି ଅଭିଯୋଗ କରିଛି । ବିଜେପି ନେତା ସଞ୍ଜୟ ପାଟିଲ କହିଛନ୍ତି ଯେ ଏହା କଂଗ୍ରେସର ପ୍ରକୃତ ମାନସିକତାକୁ ଦର୍ଶାଉଛି । ସେ କହିଛନ୍ତି, ‘ଏହି କାରଣରୁ କଂଗ୍ରେସ ଅନୁଚ୍ଛେଦ ୩୭୦କୁ ହଟାଇବାକୁ ବିରୋଧ କରୁଥିଲା । ‘
ସେହିପରି ସ୍ଥାନୀୟ ବିଜେପି ନେତା ଶ୍ରେୟା ନାକଡୀ ଏହି ମାମଲାରେ କଂଗ୍ରେସକୁ ଘେରିଛନ୍ତି । ସେ କହିଛନ୍ତି, ‘ଭାରତର ମୁକୁଟ ଗାଏବ ଅଛି । ଏହା ମହାତ୍ମା ଗାନ୍ଧୀଙ୍କ ଭାରତ ନୁହେଁ, ବରଂ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭାରତ ।’ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲଭିୟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ‘କଂଗ୍ରେସ ଏବେ ନୂଆ ମୁସଲିମ୍ ଲିଗ୍ ହୋଇଛି । ଏହି ଦଳ ପୁଣି ଥରେ ଭାରତକୁ ଭାଙ୍ଗିବାକୁ ଚାହୁଁଛି ।’
ଅନ୍ୟପଟେ ମାମଲାରେ ନିଜକୁ ଦୂରେଇ ରଖି, ଏହା ଦଳର ଅଫିସିଲିଆ ବ୍ୟାନର ନୁହେଁ ବୋଲି କଂଗ୍ରେସ କହିଛି । କଂଗ୍ରେସ ଏମଏଲସି ନାଗରାଜ ଯାଦବ କହିଛନ୍ତି, ‘ଏହା କଂଗ୍ରେସର ଅଫିସିଆଲ୍ ବ୍ୟାନର ନୁହେଁ, ଏହା ଶୁଭଚିନ୍ତକଙ୍କ ଦ୍ୱାରା ଲଗାଯାଇଛି । ଯଦି କିଛି ଶୁଭଚିନ୍ତକ ଏବଂ କର୍ମୀ ନେତାଙ୍କ ସ୍ୱାଗତ ପାଇଁ ବ୍ୟାନର ଲଗାନ୍ତି, ତେବେ ସେମାନେ ସରକାରଙ୍କ ପରାମର୍ଶ ନିଅନ୍ତି ନାହିଁ ।’

Leave a Reply

Your email address will not be published. Required fields are marked *