ସିୟାଚିନ୍‌ରେ ବଡ଼ ଦୁର୍ଘଟଣା: ଟେଣ୍ଟ୍‌ରେ ନିଆଁ ଲାଗି କ୍ୟାପ୍‌ଟେନ ସହିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୬ ଆହତ

Spread the love

ଶ୍ରୀନଗରର ସିୟାଚିନ୍‌ ଗ୍ଲାସିୟରରେ ଏକ ସୈନ୍ୟ ବଙ୍କର୍‌ରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ସାମିଲ ଅଛନ୍ତି। ଆହତମାନଙ୍କୁ ସିୟାଚିନ୍‌ ଗ୍ଲାସିୟରରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଘଟିଥିବା ସୂଚନା ରହିଛି।

ସୂଚନା ମୁତାବକ, ସିୟାଚିନ୍‌ ସେଣ୍ଟ୍ରାଲ୍ ଗ୍ଲାସିୟରରେ ଥିବା ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର ବଙ୍କର୍ (ଟେଣ୍ଟ)ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ କ୍ୟାପଟେନ୍‌ ପଦବୀର ଜଣେ ଡାକ୍ତରୀ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଦୁର୍ଘଟଣାରେ ଆହତ ଯବାନମାନଙ୍କୁ ହେଲିକପ୍ଟର ଯୋଗେ ଚଣ୍ଡିଗଡ଼ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଦୁର୍ଘଟଣାରେ ଲେଫ୍ଟନାଣ୍ଟ ପଦବୀର ଜଣେ ଅଧିକାରୀଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। କହି ରଖୁଛୁ ଯେ ପାଖାପାଖି ୨୦,୦୦୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ସିୟାଚିନ୍‌ ଗ୍ଲାସିୟର୍‌କୁ ବିଶ୍ୱର ସର୍ବୋଚ୍ଚ ସୈନ୍ୟ କ୍ଷେତ୍ର ଭାବରେ ଜଣାଯାଇଥାଏ। ଏହା ହିମାଳୟର ପୂର୍ବ କାରାକୋରମ୍‌ ପର୍ବତ ଶୃଙ୍ଗରେ ଅବସ୍ଥିତ। ଶୀତଦିନେ ଏଠାରେ ତାପମାତ୍ରା ଶୂନରୁ ମାଇନସ୍ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଏ।

Leave a Reply

Your email address will not be published. Required fields are marked *