Trump

ଭାରତ-ପାକିସ୍ତାନ ବିବାଦରୁ ଶ୍ରେୟ ଖୋଜୁଛି ଆମେରିକା: ଟ୍ରମ୍ପ କହିଲେ-ପରମାଣୁ ଯୁଦ୍ଧ ରୋକିଦେଲୁ

Spread the love

ନୂଆଦିଲ୍ଲୀ : ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନି​‌ଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା। ଯଦିଓ ଅସ୍ତ୍ରଶସ୍ତ୍ର ବିକିବା ଜରିଆରେ ନୁହେଁ, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଃବାଃ ନେବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହେବା ପରେ ତାହାର ଶ୍ରେୟ ନେବାକୁ ବାରମ୍ବାର ଚେଷ୍ଟା କରିଛନ୍ତି ଟ୍ରମ୍ପ। ବର୍ତ୍ତମାନ ଆଉ ଏକ ମନ୍ତବ୍ୟ ଦେଇ ଟ୍ରମ୍ପ ନିଜର ଲାଳସାକୁ ସର୍ବସମ୍ମୁଖରେ ପ୍ରଦର୍ଶନ କରିଛନ୍ତି। ଭାରତ ଏବଂ ପାକିସ୍ତାନକୁ ପରମାଣୁ ଯୁଦ୍ଧରୁ ଆମେରିକା ରକ୍ଷା କରିଛି ବୋଲି ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି।

ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯେଉଁଭଳି ଭାବେ ଆକ୍ରମଣ ପ୍ରତିଆକ୍ରମଣ ଚାଲିଥିଲା, ତାହା ପରମାଣୁ ଯୁଦ୍ଧ ଆଡ଼କୁ ଅଗ୍ରସର ହୋଇଥାଆନ୍ତା। ଆମେରିକା ଅସ୍ତ୍ରବିରତି ଦିଗରେ ପଦକ୍ଷେପ ନେଇ ଦୁଇ ଦେଶକୁ ପରମାଣୁ ଯୁଦ୍ଧରୁ ରକ୍ଷା କରିଛି। ଶନିବାର ମୋ ପ୍ରଶାସନ ତୁରନ୍ତ ଅସ୍ତ୍ରବିରତି ଦିଗରେ ସାହାଯ୍ୟ କରିଥିଲା। ଏହା ସ୍ଥାୟୀ ବୋଲି ମୁଁ ଭାବୁଛି। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଏହି ବିବାଦ ପରମାଣୁ ଯୁଦ୍ଧରେ ଶେଷ ହୋଇଥାଆନ୍ତା। ଆମେ ଏହାକୁ ରୋକିବାରେ ବହୁତ ବଡ଼ ପଦକ୍ଷେପ ନେଇଛୁ। ଟ୍ରମ୍ପଙ୍କ ଏପରି ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଟ୍ରମ୍ପ ଏପରି କହି ଭାରତକୁ ଦୁର୍ବଳ ବୋଲି ଦର୍ଶାଉଛନ୍ତି ନା ପାକିସ୍ତାନ ଦ୍ଵାରା ପରମାଣୁ ଆକ୍ରମଣର ପରୋକ୍ଷ ଚେତାବନୀ ଦେଉଛନ୍ତି ତାହା ବୁଝିହେଉ ନାହିଁ।

ପ୍ରଥମତଃ, ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନ ଥରହର ହୋଇପଡ଼ିଥିଲା। ପାକିସ୍ତାନର ସବୁ ଆକ୍ରମଣ ଉଦ୍ୟମକୁ ଭାରତ ବିଫଳ କରିଦେବା ସାଙ୍ଗକୁ ତାହାର ଏକାଧିକ ବିମାନଘାଟିକୁ କ୍ଷତି ପହଞ୍ଚାଇଥିଲା। ଶତାଧିକ ଡ୍ରୋନ, କ୍ଷେପଣାସ୍ତ୍ରକୁ ଆକାଶରେ ଖସାଇ ଦେଇଥିଲା। ଭାରତ ସହିତ ଲଢ଼ିଲେ ପରିମାଣ କ’ଣ ହେବ ତାହା ପାକିସ୍ତା ଭଲ ଭାବେ ଜାଣିଥିଲା। ଯାହାଫଳରେ ପାକ୍ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ଟ୍ରମ୍ପଙ୍କ ଶରଣ ପଶିଥିଲେ। ଯେଉଁ ଟ୍ରମ୍ପ ପ୍ରଥମେ ଭାରତର ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଆମେରିକାର ସମର୍ଥନ ରହିଛି ବୋଲି କହିଥିଲେ, ଆକ୍ରମଣର ଦିନକ ପରେ ୟୁ-ଟର୍ନ ମାରିଥିଲେ। ୧୯୭୧ ଯୁଦ୍ଧରେ ଆମେରିକା ଯେଭଳି ପାକିସ୍ତାନ ସହିତ ମିଶି ଭାରତ ବିରୋଧୀ ପଦକ୍ଷେପ ନେଇଥିଲା ଏଥର ସେପରି ପାକିସ୍ତାନକୁ ସୁହାଇଲା ଭଳି ଟ୍ରମ୍ପ ଭାରତ ସାମ୍ନାରେ ଅଭିନୟ କରୁଥିବା ଦେଖିବାକୁ ମିିଳିଥିଲା।

ଦ୍ଵିତୀୟତଃ ପାକିସ୍ତାନ ଡିଜିଏମଓ ଭାରତକୁ ଫୋନ କରି ଅସ୍ତ୍ରବିରତି ପାଇଁ ଅନୁରୋଧ କରିବାରୁ ଭାରତ ବିଭିନ୍ନ ଦିଗ ଉପରେ ଆଲୋଚନା କରି ଏଥିରେ ସହମତି ପ୍ରକାଶ କରିଥିଲା। ଏଥିରେ ଟ୍ରମ୍ପଙ୍କର କୌଣସି ଭୂମିକା ନ ଥିଲେ ହେଁ, ସେ ଉପରେ ପଡ଼ି ସାମାଜିକ ଗଣମାଧ୍ୟମରେ ଅସ୍ତ୍ରବିରତିର ଶ୍ରେୟ ନେବାକୁ ଉଦ୍ୟମ କରିଥିଲେ। ଏପରି କି କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବା ଜାଣି ସେଥିରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ। ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।

ଟ୍ରମ୍ପଙ୍କ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାଳ ସରିବା ପରେ ସେ ଯେଉଁଭଳି ବାଚାଳାମୀ ଦେଖାଇଥିଲେ ତାହାକୁ ବିଶ୍ଵବାସୀ ଭୁଲି ନାହାନ୍ତି। ବର୍ତ୍ତମାନ କ୍ଷମତାକୁ ଫେରିବା ପରେ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ବି ବହୁ ରାଷ୍ଟ୍ରଙ୍କୁ ଆଶ୍ଚର୍ଯ୍ୟ କରିଛି। ପାରସ୍ପରିକ ଶୁଳ୍କ ଲାଗୁଠାରୁ ଆରମ୍ଭ କରି ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ ଉସୁକାଇବା ଏବଂ ପରେ ଅସ୍ତ୍ରବିରତି ପାଇଁ ଜୋର ଦେବା ଟ୍ରମ୍ପଙ୍କ ସ୍ଵାର୍ଥପରତାର ନଗ୍ନ ଉଦାହରଣ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *