ଭିଜିଲାନ୍ସ ପଞ୍ଝାରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର, ୧୦ଟି ସ୍ଥାନରେ ଚଢ଼ାଉ
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ । ସକାଳୁ ସକାଳୁ ରେଡ୍ କଲା ଭିଜିଲାନ୍ସ । ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି ସବ୍ ଡିଭିଜନ୍ ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ଅରବିନ୍ଦ ମହାନ୍ତି । ଆୟ ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ତଲାସୀ ହୋଇଛି । ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏକକାଳୀନ ତଲାସୀ କରାଯାଇଛି ।
ଏଥିରେ ୫ ଜଣ ଡିଏସ୍ ପି, ୮ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି । ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଅରବିନ୍ଦଙ୍କ ୩ ମହଲା କୋଠା, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ୨ ମହଲା କୋଠା, ବେତନଟୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ ହୋଇଛି । ସେହିପରି ବାଲେଶ୍ୱର ଜଳେଶ୍ୱର ରାୟାଁ-ରାମଚନ୍ଦ୍ରପୁରସ୍ଥିତ ପୈତୃକ ଘର, ବସନ୍ତପୁରସ୍ଥିତ ଫାର୍ମହାଉସ୍ ଓ ବାମପଦାରେ ଥିବା ଅନ୍ୟ ଏକ ଘରେ ମଧ୍ୟ ତଲାସୀ ହୋଇଛି ।
ଏଥିସହ ଅରବିନ୍ଦଙ୍କ ଘନିଷ୍ଠ ସହଯୋଗୀଙ୍କ ଅଙ୍ଗାରଗଡ଼ିଆସ୍ଥିତ ଘର, ଅନ୍ୟ ଜଣେ ସହଯୋଗୀଙ୍କ ବୈଶିଙ୍ଗାସ୍ଥିତ ଘର ଏବଂ ଆଉ ଜଣେ ସହଯୋଗୀଙ୍କ ବାମପଦାସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ତଲାସୀ କରୁଛି।ଚଢ଼ାଉ ଜାରି ରହିଥିବାରୁ ଅରବିନ୍ଦ ମହାନ୍ତିଙ୍କ ମୋଟ ସମ୍ପତ୍ତି ଓ ଆୟବହିର୍ଭୂତ ସମ୍ପତ୍ତିର ପରିମାଣ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ତଥ୍ୟ ମିଳିନାହିଁ । ତଲାସୀ ଶେଷ ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।
