ମୂର୍ତ୍ତି ବିସର୍ଜନ ବେଳେ ପୃଥକ୍ ଅଘଟଣ, ଗଞ୍ଜାମରେ ତିନି ଛାତ୍ର ଓ ଏରସମାରେ ୪ ଭାସିଗଲେ
ହିଞ୍ଜିଳିକାଟୁ/ଦିଗପହଣ୍ଡି/ଏରସମା: ରାଜ୍ୟରେ ଆଜି ଅନେକ ସ୍ଥାନରେ ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି। ତେବେ ଭସାଣୀ ବେଳେ ପାଣିରେ ଭାସି ଗଞ୍ଜାମର ହିଞ୍ଜିଳିକାଟୁ, ଦିଗପହଣ୍ଡିରେ ତିନିଜଣ ଛାତ୍ରଙ୍କ ଜୀବନ ଯାଇଥିବା ବେଳେ ଜଗତସିଂହପୁରର ଏରସମାରେ ୩ଛାତ୍ରଙ୍କ ସହ ଜଣେ ଗାଡ଼ି ଚାଳକଙ୍କ ମୃତ୍ୟୁ ଘଟିଛି।
ଶ୍ରୀଗଣେଶଙ୍କ ମୂର୍ତ୍ତି ବିସର୍ଜନ ବେଳେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଇଲାକାରୁ ଦୁଇଜଣ ଓ ଦିଗପହଣ୍ଡି ଥାନା ଇଲାକାରୁ ଜଣେ ଛାତ୍ର ଅଛନ୍ତି। ହିଞ୍ଜିଳିକାଟୁ ସହର ମାଣିକନଗର ଅଞ୍ଚଳର ଏକ ଘରୋଇ ଟ୍ୟୁସନର ଦୁଇଜଣ ନବମ ଶ୍ରେଣୀ ଛାତ୍ର ଗଜପତିମାର୍ଗ ଅଞ୍ଚଳର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀନଗରର ପ୍ରୀତମ ସାମେଲି (୧୪) ସାଙ୍ଗମାନଙ୍କ ସହ ବଇଞ୍ଚବଣିଆସ୍ଥିତ ଘୋଡ଼ାହାଡ଼ ନଦୀକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ଅସାବଧାନତାବଶତଃ ଉଭୟ ବୁଡ଼ିଯାଇଥିବା ବେଳେ ହିଞ୍ଜିଳି ଦମକଳବାହିନୀ ସେମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ହିଞ୍ଜିଳିକାଟୁ ଥାନାରେ ଏନେଇ କେସ ନମ୍ବର ୨୧ ଓ ୨୨ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।
ସେହିପରି ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡି ଗ୍ରାମରେ ମଧ୍ୟ ଆଜି ସକାଳେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ତଥା ମୋରମ ଜେନାଙ୍କ ପୁଅ ଶିତାଂଶୁ ଜେନା ପ୍ରାଣ ହରାଇଛନ୍ତି। ଶିତାଂଶୁ ସକାଳ ସାଢ଼େ ୬ଟାରେ ଟ୍ୟୁସନରୁ ସାଙ୍ଗମାନଙ୍କ ସହ ମୂର୍ତ୍ତି ବିସର୍ଜନ ପାଇଁ ପଡ଼ିଆବନ୍ଧ ପୋଖରୀକୁ ଯାଇଥିଲେ। ଗୋଡ଼ ଖସିବାରୁ ହଠାତ୍ ସେ ବୁଡ଼ିଯାଇଥିବା ବେଳେ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗଣେଶ ଭସାଣ ବେଳେ ଜଗତସିଂହପୁରଜିଲ୍ଲା ଗୋପାଳପୁର ସଫେଇ(କେନାଲ୍)ର ପ୍ରଖର ସ୍ରୋତରେ ଭାସିଯାଇ ୩ ଛାତ୍ରଙ୍କ ସମେତ ଜଣେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଲା। ଏଭଳି ଛାତିଥରା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ମୃତକମାନେ ହେଲେ ଓରନାଳ ଗାଁର ମନୋଜିତ ସ୍ବାଇଁ(୨୩), ସ୍ବପ୍ନଜିତ ବାରିକ(୨୨), ଜଗନ୍ନାଥ ପଲେଇ(୨୫) ଏବଂ ରଶ୍ମିରଂଜନ ନାୟକ(୨୫)। ମନୋଜିତ ଓ ସ୍ବପ୍ନଜିତ ଏରସମା କଲେଜରେ ଯୁକ୍ତ ତିନି ଶ୍ରେଣୀରେ ପଢ଼ୁଥିବା ବେଳେ ରଶ୍ମିରଂଜନ ଭୁବନେଶ୍ବରର ଏକ ଘରୋଇ ଇଂଜିନିୟରିଂ କଲେଜରେ ବି.ଟେକ୍ ପଢ଼ୁଥିଲେ। ଜଗନ୍ନାଥ ଏକ ବୋଲେରୋରେ ଡ୍ରାଇଭର ଥିଲେ
ଭାସିଯାଇଥିବା ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ବୋଲେରୋ ଡ୍ରାଇଭର ଜଗନ୍ନାଥ ସଫେଇ ଭିତକୁ ଡେଇଁ ପଡ଼ିଥିଲେ। ହେଲେ, ସେ ମଧ୍ୟ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ଏରସମା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା। ସେତେବେଳକୁ ଦୁଇଜଣଙ୍କୁ ସ୍ଥାନୀୟ କିଛି ମତ୍ସ୍ୟଜୀବୀ ଓ ଲୋକେ ଖୋଜାଖୋଜି କରି ଉଦ୍ଧାର କରିସାରିଥିଲେ। ଅନ୍ୟ ଦୁଇଜଣଙ୍କୁ ଅଗ୍ନିଶମ ବାହିନୀ ଦୀର୍ଘ ଦୁଇଘଣ୍ଟାର କସରତ ପରେ ଉଦ୍ଧାର କରିଥିଲା। ସମସ୍ତଙ୍କୁ ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଏରସମା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ତେବେ ସନ୍ଧ୍ୟା ହୋଇଯାଇଥିବାରୁ ଆଜି ବ୍ୟବଚ୍ଛେଦ ହୋଇପାରି ନାହିଁ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
