ବାତ୍ୟା ନେଇ ଏଯାଏଁ କୌଣସି ଆକଳନ ହୋଇନି: ଆଇଏମଡି ଡିଜି
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏଯାଏଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ଆକଳନ କରାଯାଇନାହିଁ। କେବଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି। ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ୧୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ବେଳକୁ ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଇଛି।ଏହାର ପ୍ରଭାବରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପୂର୍ବରୁ ଏହାକୁ ବାତ୍ୟା ଭାବେ ଆକଳନ କରିବା ଠିକ୍ ନୁହେଁ ବୋଲି ଆଇଏମଡି ଡିଜି କହିଛନ୍ତି।ସେ କହିଛନ୍ତି, ବହୁ ଆଗରୁ ବାତ୍ୟା ସମ୍ପର୍କରେ ଆକଳନ କଲେ ତାହା ସଠିକ୍ ହେବାର ସମ୍ଭାବନା କମ୍ ରହିଥାଏ। ଲଘୁଚାପ ସୃଷ୍ଟି ପରେ ପାଣିପାଗର ଗତିବିଧି ଓ ବିଭିନ୍ନ ପାରାମିଟରକୁ ଅନୁଧ୍ୟାନ କରି ଅଧିକ ସଠିକ୍ ପୂର୍ବାନୁମାନ କରାଯାଇଥାଏ।
