X

ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

Spread the love

ଭୁବନେଶ୍ଵର: ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟର ଗତି ମନ୍ଥର | ଚାଲିଥିବା ଏବଂ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ | ଖୋଦ୍ ଶାସକ ଦଳର ସାଂସଦମାନେ ନିଜ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ଏହା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି | ଏହାକୁ ନେଇ ସରକାରଙ୍କୁ ଘେରିଛି ମୁଖ୍ୟ ବିରୋଧୀ ଦବିଜେଡି।
ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ଚିଠିରେ ଅଭିଯୋଗ କରି ଲେଖିଛନ୍ତି, ପ୍ରାୟ ୬୮୦ କୋଟି ଟଙ୍କାର ସମ୍ବଲପୁର-ସୋନପୁର ରାସ୍ତା କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି | ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ଶେଷ କରିବା ପାଇଁ ଠିକାସଂସ୍ଥାର କୌଣସି ଆନ୍ତରିକତା ନାହିଁ | ତେଣୁ ସେହି ସଂସ୍ଥାକୁ ବଦଳାଇ ଅନ୍ୟ ସଂସ୍ଥା ଦ୍ୱାରା କାମ କରାଇବାକୁ ସେ ଦାବି କରିଛନ୍ତି |
ସେହିଭଳି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ନବରଙ୍ଗପୁର ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି | ୨୧ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ୧୦ ପ୍ରତିଶତ କାମ ଶେଷ ହୋଇପାରିଛି, ଯାହାକି ଅତ୍ୟନ୍ତ ଚିନ୍ତାଜନକ ବୋଲି ଲେଖିଛନ୍ତି ସାଂସଦ | ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ତାଙ୍କ ଅଞ୍ଚଳରେ ଚାଲିଥିବା ବିଭିନ୍ନ ରାସ୍ତା କାମ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ନିମ୍ନମାନର ନିର୍ମାଣ ଶୈଳୀ ଓ ସାମଗ୍ରୀ ବ୍ୟବହାରକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି |
ତେବେ ତିନି ସାଂସଦ ଚିଠି ବିଭାଗର ହସ୍ତଗତ ହୋଇଛି ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ | ମନ୍ତ୍ରୀ କହିଛନ୍ତି, ତିନୋଟି କାମର ଷ୍ଟାଟସ ରିପୋର୍ଟ ମଗାଯାଇଛି, ରିପୋର୍ଟ ଆସିବା ପରେ କାରଣ ଜାଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଏହାସହ ତିନୋଟି କାମ ପାଇଁ ସ୍ୱତନ୍ତ୍ର ଟାସ୍କ ଟିମ ଗଠନ କରାଯିବ | ସେମାନେ ସେହି କାମଗୁଡିକୁ ତଦାରଖ କରିବେ ଏବଂ କାମକୁ ତ୍ୱରାନ୍ୱିତ କରିବେ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ।
ଘଟଣାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି | ଶାସକ ଦଳର ନିଜ ସାଂସଦମାନେ ‘କାମ ହେଉନି’ ବୋଲି କହୁଛନ୍ତି, ତେବେ ରାଜ୍ୟର ବିକାଶ କେଉଁ ଦିଗରେ ଯାଉଛି ? ବିଜେପି ସାଂସଦମାନେ ପୂର୍ତ୍ତ ବିଭାଗ ବିରୋଧରେ କାମରେ ଶିଥିଳତା ଅଭିଯୋଗ ଆଣିବା ଏହା ଦର୍ଶାଉଛି ଯେ ବିକାଶ କାର୍ଯ୍ୟ ଧୀମା ହେଉଛି | ପ୍ରକଳ୍ପ କଚ୍ଛପ ଗତିରେ କାମ କରିବା ଏହା ଉଦବେଗଜନକ ବୋଲି କହିଛି ବିଜେଡ଼ି |
ଏହାର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ବିଜେପି ସରକାର ଆସିବା ପରେ ବଳକା ପ୍ରକଳ୍ପ କାମ ସମୀକ୍ଷା କରିଛି ତେବେ ଜଙ୍ଗଲ ମଞ୍ଜୁରୀ ଓ ଜମି ଅଧିଗ୍ରହଣ ପାଇଁ ସମସ୍ୟା ହୁଏ | ନିୟମିତ ଭାବେ ଶକ୍ତି ଓ ଜଙ୍ଗଲ ବିଭାଗ ସହ ବାକି ଥିବା କାମର ସମୀକ୍ଷା ହେଉଛି | ଜମି ଅଧିଗ୍ରହଣ ପାଇଁ ନିୟମ ଅଛି କିନ୍ତୁ ଆଦିବାସୀ ଜମି ନେବାରେ ଅସୁବିଧା ହେବାରୁ ସମୟ ଲାଗୁଛି। କେବଳ ତିନି ସାଂସଦ ନୁହନ୍ତି, ଆଉ କିଛି ସାଂସଦ ଏବଂ ବିଧାୟକମାନେ ମଧ୍ୟ ନିଜ ନିଜ ଅଂଚଳରେ କାର୍ଯ୍ୟର ଗତି ଧିମା ହେଉଥିବା ଅଭିଯୋଗ କରିଛନ୍ତି | ତେବେ ସରକାର ଏସବୁ ସମସ୍ୟାର ସମାଧାନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *