Flood 2026 07 30 02 20 33

ବିହାରରେ ବନ୍ୟା ସ୍ଥିତି ଗମ୍ଭୀର, ୫୦ ଲକ୍ଷ ଲୋକ ପ୍ରଭାବିତ

Spread the love

ପାଟନା: ବିହାରରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ବନ୍ୟା ପ୍ରଭାବିତ ପରିବାରଙ୍କୁ ତତ୍କାଳ ସହାୟତା ଦେବାକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀ ୮,୨୭,୪୭୨ ପ୍ରଭାବିତ ପରିବାରର ବ୍ୟାଙ୍କ ଆକାଉଣ୍ଟ୍‌କୁ ଡିବିଟି ମାଧ୍ୟମରେ ମୋଟ ୫୭୯.୨୩ କୋଟି ଟଙ୍କା ପଠାଇଛନ୍ତି। ପ୍ରତି ପରିବାରକୁ ୭ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମିଳିଛି। ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ରିଲିଫ୍‌ ବଣ୍ଟନର ଶୁଭାରମ୍ଭ କରାଯାଇଛି। ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିବ ଏବଂ କେହି ବାଦ୍‌ ପଡ଼ିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବନ୍ୟାରେ ପାଟନା, ଭୋଜପୁର, ସାରଣ, ବୈଶାଳୀ, ଭାଗଲପୁର, ବେଗୁସରାଇ, ବକ୍ସର, ସମସ୍ତିପୁର, ମୁଙ୍ଗେର, କଟିହାର, ଲଖୀସରାଇ, ଖଗରିଆ, ପୂର୍ଣ୍ଣିଆ, ମାଧେପୁରା ଓ ଅରରିଆ ଜିଲ୍ଲା ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଓ ନେପାଳରୁ ଆସୁଥିବା ଜଳ ଯୋଗୁ ନଦୀଗୁଡ଼ିକର ଜଳସ୍ତର ବଢ଼ିଛି। ରାଜ୍ୟରେ ସେପ୍ଟେମ୍ବର ମାସରେ ଏପର୍ଯ୍ୟନ୍ତ ୧୧୨.୭ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ପ୍ରାୟ ୬ ପ୍ରତିଶତ ଅଧିକ। ବନ୍ୟାଜନିତ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍‌ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ବିହାର ଆସିବ।

Leave a Reply

Your email address will not be published. Required fields are marked *