Evf7l82o President Droupadi Murm

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ଟି ପ୍ରଶ୍ନ

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ପାଇଁ ବିଲ୍‍ ଅନୁମୋଦନ ପାଇଁ କୌଣସି ସମୟସୀମା କ’ଣ ସୁପ୍ରିମକୋର୍ଟ ସ୍ଥିର କରିପାରିବେ । କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ପ୍ରକୃତରେ ତାମିଲନାଡୁ ସରକାରଙ୍କ ରାଜ୍ୟପାଳଙ୍କ ବିରୋଧରେ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏହି ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ୮ ଏପ୍ରିଲରେ ଆସିଥିବା ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ଠାରୁ ଆନୁଷ୍ଠାନିକ ମତାମତ ଲୋଡିଛନ୍ତି । ସମ୍ବିଧାନର ଧାରା ୧୪୩(୧) ଅନୁଯାୟୀ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୁପ୍ରିମକୋର୍ଟଙ୍କୁ ପଚାରିଛନ୍ତି ରାଷ୍ଟ୍ରପତି ।
ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳ ଏବଂ ରାଷ୍ଟ୍ରପତି ସମ୍ବିଧାନର ଧାରା ୨୦୦ ଏବଂ ୨୦୧ ଅନୁଯାୟୀ ବିଲ୍‍ ଉପରେ ନିଷ୍ପତ୍ତି ନିଅନ୍ତି, କିନ୍ତୁ ଏହି ଧାରା ଗୁଡିକ କୌଣସି ସ୍ଥାନରେ କୌଣସି ସମୟ ସୀମା କିମ୍ବା ପ୍ରକ୍ରିୟା ସ୍ଥିର କରେ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଏହି ଇଚ୍ଛାଧୀନ ନିଷ୍ପତ୍ତି ସଂଘୀୟତା, ଆଇନର ସମାନତା, ଜାତୀୟ ସୁରକ୍ଷା ଏବଂ କ୍ଷମତା ମଧ୍ୟରେ ସନ୍ତୁଳନ ଭଳି ବହୁପାକ୍ଷିକ ଦିଗ ଉପରେ ଆଧାରିତ । ଗତ ୮ଏପ୍ରିଲରେ ଜଷ୍ଟିସ୍‍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍‍ ଆର ମହାଦେବନ୍‍ଙ୍କୁ ନେଇ ଗଠିତ ଖଣ୍ଡପୀଠ ୪୧୫ ପୃଷ୍ଠାର ରାୟରେ କହିଥିଲେ ଯେ ବିଲ୍‍ ପାଇବାର ତିନି ମାସ ମଧ୍ୟରେ ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବାକୁ ପଡିବ ।
ଯଦି ବିଧାନସଭା ପୁନର୍ବାର ସମାନ ବିଲ୍‍ ପାସ୍‍ କରି ଫେରାଇ ଦିଏ, ତେବେ ରାଜ୍ୟପାଳଙ୍କୁ ଗୋଟିଏ ମାସ ମଧ୍ୟରେ ଅନୁମୋଦନ ଦେବାକୁ ପଡିବ । ସେହିପରି ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ସେହି ବିଲ୍‍ ଉପରେ ନିଷ୍ପତ୍ତି ନେବାକୁ ପଡିବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୋର୍ଟଙ୍କ ଏହି ବିବୃତ୍ତି ଉପରେ ମଧ୍ୟ ଆପତ୍ତି ଉଠାଇଛନ୍ତି । କହିଛନ୍ତି ଯେ ତାମିଲନାଡୁର ୧୦ଟି ବିଚାରଧୀନ ବିଲ୍‍ କୁ ଅନୁମୋଦନ କରାଯାଇଛି । ଯାହାକି ସମ୍ବିଧାନର ମୌଳିକ ଆଧାର ବିରୋଧରେ । ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ସମ୍ବିଧାନ କିମ୍ବା ଆଇନରେ ସ୍ପଷ୍ଟ ଭାବରେ ପରିଭାଷିତ ହୋଇଥିବା ମାମଲାରେ ଧାରା ୧୪୨ ବ୍ୟବହାର କରାଯାଇପାରିବ କି ବୋଲି ପଚାରିଥିଲେ । ଏହି ଧାରା ନ୍ୟାୟପାଳିକାକୁ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରେ ।
ରାଷ୍ଟ୍ରପତି ପଚାରିଥିବା ପ୍ରଶ୍ନ:
୧ – ଯେତେବେଳେ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମୁଖରେ ଏକ ବିଲ୍‍ ଉପସ୍ଥାପିତ ହୁଏ, ତାଙ୍କ ପାଇଁ କ’ଣ ସାମ୍ବିଧାନିକ ବିକଳ୍ପ ଉପଲବ୍ଧ?
୨- ଧାରା ୨୦୦ ଅନୁଯାୟୀ ଉପଲବ୍ଧ ସମସ୍ତ ବିକଳ୍ପ ବ୍ୟବହାର କରିବାରେ ରାଜ୍ୟପାଳ କ’ଣ ମନ୍ତ୍ରୀ ପରିଷଦର ସାହାଯ୍ୟ ଓ ପରାମର୍ଶ ନେବାକୁ ବାଧ୍ୟ?
୩- ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ବ୍ୟବହୃତ ସାମ୍ବିଧାନିକ ବିବେଚନାର ନ୍ୟାୟିକ ଯାଞ୍ଚ କରାଯାଇପାରିବ କି?
୪- ଧାରା ୩୬୧ କ’ଣ ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ନ୍ୟାୟିକ ସମୀକ୍ଷା ଉପରେ ଏକ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଏ କି ?
୫- ଯେତେବେଳେ ସମ୍ବିଧାନ ରାଜ୍ୟପାଳଙ୍କ ପାଇଁ କୌଣସି ସମୟ ସୀମା କିମ୍ବା ପ୍ରକ୍ରିୟା ଧାର୍ଯ୍ୟ କରେ ନାହିଁ ସେତେବେଳେ କଣ ଧାରା ୨୦୦ ଅନୁଯାୟୀ ତାଙ୍କ କ୍ଷମତାର ପ୍ରୟୋଗ ପାଇଁ ଏକ ସମୟ ସୀମା କିମ୍ବା ପ୍ରକ୍ରିୟା ନ୍ୟାୟିକ ନିର୍ଦେଶ ମାଧ୍ୟମରେ ସ୍ଥିର କରାଯାଇପାରିବ କି?
୬- ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟବହୃତ ସାମ୍ବିଧାନିକ ବିବେଚନାର ନ୍ୟାୟିକ ଯାଞ୍ଚ କରାଯାଇପାରିବ କି?
୭- ଯେତେବେଳେ ସମ୍ବିଧାନ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସମୟ ସୀମା କିମ୍ବା ପ୍ରକ୍ରିୟା ଧାର୍ଯ୍ୟ କରେ ନାହିଁ ସେତେବେଳେ କଣ ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ପକ୍ଷରୁ ବିବେଚନା ପ୍ରୟୋଗ ପାଇଁ ଏକ ସମୟ ସୀମା କିମ୍ବା ପ୍ରକ୍ରିୟା ନ୍ୟାୟିକ ନିର୍ଦେଶ ମାଧ୍ୟମରେ ଧାର୍ଯ୍ୟ କରାଯାଇପାରିବ କି?
୮- ଯେତେବେଳେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ଏକ ବିଲ୍‍ ସଂରକ୍ଷଣ କରନ୍ତି ସେତେବେଳେ ରାଷ୍ଟ୍ରପତିଙ୍କ ଧାରା ୧୪୩ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ମତାମତ ନେବା ବାଧ୍ୟତାମୂଳକ କି ?
୯- ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଧାରା ୨୦୦ ଓ ୨୦୧ ଅନୁଯାୟୀ ନିଆଯାଇଥିବା ନିଷ୍ପତ୍ତି ନ୍ୟାୟିକ ସମୀକ୍ଷାର ଅଧୀନ ହୋଇପାରିବ କି? ଯେତେବେଳେ ବିଲ୍‍ ଆଇନରେ ପରିଣତ ହୋଇନାହିଁ, ସେତେବେଳେ କୋର୍ଟ ଏହାର ବିଷୟବସ୍ତୁ ଉପରେ ନିଷ୍ପତ୍ତି ନେଇପାରିବେ କି?
୧୦- ରାଷ୍ଟ୍ରପତି/ରାଜ୍ୟପାଳଙ୍କ ଦ୍ୱାରା ବ୍ୟବହୃତ ସାମ୍ବିଧାନିକ ଆଦେଶ ଏବଂ କ୍ଷମତାକୁ ଧାରା ୧୪୨ ଅନୁଯାୟୀ କୌଣସି ପ୍ରତିସ୍ଥାପିତ କରାଯାଇପାରିବ କି?
୧୧- ରାଜ୍ୟପାଳଙ୍କ ସମ୍ମତି ବିନା ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‍ କଣ ଆଇନରେ ପରିଣତ ହୋଇପାରିବ । କି?
୧୨- ଧାରା ୧୪୫(୩) କ’ଣ ସୁପ୍ରିମକୋର୍ଟର କୌଣସି ଖଣ୍ଡପୀଠ ପାଇଁ ଏହା ନିଷ୍ପତ୍ତି ନେବା ବାଧ୍ୟତାମୂଳକ ନୁହେଁ କି? ପାଞ୍ଚ ଜଣରୁ କମ୍‍ ବିଚାରପତିଙ୍କ ଖଣ୍ଡପୀଠକୁ ଏହା ପଠାଯିବା ଉଚିତ କି ନାହିଁ?
୧୩- ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟର କ୍ଷମତା କେବଳ ପ୍ରକ୍ରିୟାଗତ ଆଇନ ପର୍ଯ୍ୟନ୍ତ ସୀମିତ କି ? ନା ଏହି କ୍ଷମତାଗୁଡିକ ନିର୍ଦେଶ/ଆଦେଶ ଦେବାକୁ ବିସ୍ତାର କରେ ଯାହାକି ପ୍ରଚଳିତ ଆଇନର ପ୍ରକ୍ରିୟାଗତ ବ୍ୟବସ୍ଥାର ବିପରୀତ?
୧୪- କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ଧାରା ୧୩୧ ଅନୁଯାୟୀ ମାମଲା ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରାଧିକାର ପ୍ରୟୋଗ କରିବାକୁ ସମ୍ବିଧାନ ସୁପ୍ରିମକୋର୍ଟଙ୍କୁ ବାରଣ କରେ କି ?

Leave a Reply

Your email address will not be published. Required fields are marked *