ଭାରତରେ ପ୍ରବେଶ କଲା ଏଚଏମପିଭି

Spread the love

ବେଙ୍ଗାଲୁରୁ : ଭାରତକୁ ବ୍ୟାପିଲା HMPV। ଭାରତରୁ ଚିହ୍ନଟ ହେଲେ ଦୁଇ ହ୍ୟୁମାନ୍ ମେଟାନିମୋ ଭାଇରସ୍- HMPV ଆକ୍ରାନ୍ତ । ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମଆର।
ପୂର୍ବରୁ ଜଣେ ୮ ମାସର ଶିଶୁ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଏକ ତିନି ମାସର ଶିଶୁ HMPVରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ତେବେ ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି। ସେପଟେ ଦୁଇଟି ମାମଲା ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିଛି।
ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍। ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି। ଆକ୍ରାନ୍ତଙ୍କ ଠାରେ କାଶ, ଜ୍ୱର, ନାକ ବନ୍ଦ, ନିଶ୍ୱାସ-ପ୍ରଶ୍ୱାସ ବେଳେ ହ୍ୱିସିଲ୍ ବାଜିବା ଭଳି ଶବ୍ଦ ହେବା ଏବଂ ଜଟିଳ କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଲକ୍ଷଣ ପ୍ରକାଶ ପାଉଛି।
ହ୍ୟୁମାନ୍ ମେଟାନିମୋ ଭାଇରସ୍ କଣ?
୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ପାଇଁ ଠାବ ହୋଇଥିଲା। ଏହା ମଧ୍ୟ କରୋନା ଭଳି। କାଶ ଛିଙ୍କ ସହ ପାଟି ଓ ନାକରୁ ନିର୍ଗତ ତରଳ କଣିକା ଦ୍ୱାରା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ କାଶ, ଜ୍ୱର, ନାକ ବନ୍ଦ, ନିଶ୍ୱାସ-ପ୍ରଶ୍ୱାସ ବେଳେ ହ୍ୱିସିଲ୍ ବାଜିବା ଭଳି ଶବ୍ଦ ଭଳି ଲକ୍ଷଣ ପ୍ରକାଶ ପାଉଛି।
ଏହି ରୋଗରେ ଯେ ଆକ୍ରାନ୍ତ ହେଉଛି ସେମାନଙ୍କୁ ନିମୋନିଆ ହେବା ସହ ରିପୋର୍ଟରେ ଫୁସଫୁସ ଧଳା ଦେଖାଯାଉଛି। ରୋଗୀର ରୋଗପ୍ରତିରୋଧକ ଶକ୍ତି କମିଯାଉଛି। ୫ ବର୍ଷର କମ୍‌ ପିଲା ବେଶି ଆକ୍ରାନ୍ତ ହେଉଛନ୍ତି। ଏହାର ଏଯାଏଁ କୌଣସି ଟିକା ତିଆରି ହୋଇନି। ଚୀନର ଜାତୀୟ ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କୁ ଚିହ୍ନଟ ଓ ନମୂନା ପରୀକ୍ଷା ପାଇଁ ପ୍ରଟୋକଲ୍ ଘୋଷଣା କରିଛନ୍ତି। ଏଥିରୁ ବର୍ତ୍ତିବା ଲାଗି ହାତକୁ ବାରମ୍ୱାର ସଫା କରିବା ସହ ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ସୂଚନା ଯୋଗ୍ୟ ଯେ, ୨୦୧୯ ଡିସେମ୍ବରରେ ଚୀନ୍ ଉହାନରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Leave a Reply

Your email address will not be published. Required fields are marked *