Odisha 300x169

ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ

Spread the love

ଭୁବନେଶ୍ବର : ଏଣିକି ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ।
ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭ ଘଣ୍ଟାରୁ କମ୍ ହେଲେ ହାଫ୍ ଡେ’ ହେବ। କର୍ମଚାରୀମାନେ ସେମାନଙ୍କ ଯିବା ଆସିବା ସମୟ ବାୟୋମେଟ୍ରିକରେ ସୂଚିତ କରିବେ। ଅଫିସରୁ ବାହାରିବା ସମୟ ସୂଚିତ ନ ଥିଲେ ଅନୁପସ୍ଥିତ ଧରାଯିବ।
ଏଥିରେ ଆହୁରି କୁହାଯାଇଛି ଯେ କର୍ମଚାରୀମାନେ ସକାଳ ୧୦ଟା ସୁଦ୍ଧା ଆସି ପହଞ୍ଚିବେ। ଏଥିରେ ସେମାନଙ୍କୁ ଅଧା ଘଣ୍ଟାର ଗ୍ରେସ୍ ପିରିୟଡ ମିଳିବ। ଅର୍ଥାତ୍ କାରଣ ବଶତଃ ବିଳମ୍ବ ହେଲେ ସାଢ଼େ ୧୦ଟା ସୁଦ୍ଧା ସେମାନେ ଅଫିସରେ ପହଞ୍ଚି ‘ଚେକ୍ ଇନ୍’ ବା ‘ଅଫିସ୍ ଇନ୍’ କରିପାରିବେ।
କର୍ମଚାରୀମାନେ ଅଫିସରେ ଅତିକମ୍‌ରେ ସାଢ଼େ ୭ ଘଣ୍ଟା ଉପସ୍ଥିତ ରହିବେ। ତେଣୁ ଯେଉଁମାନେ ସକାଳ ସାଢ଼େ ୧୦ଟାରେ ‘ଅଫିସ୍ ଇନ୍’ କରିବେ ସେମାନଙ୍କୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଫିସରେ ରହିବାକୁ ପଡ଼ିବ। ସେମାନେ ସନ୍ଧ୍ୟା ୬ଟା ପରେ ଅଫିସ୍ ଛାଡ଼ିପାରିବେ।
ଏହି ନିୟମଗୁଡ଼ିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଅଫିସରେ ସାଢ଼େ ୭ ଘଣ୍ଟା ବା ତା’ଠାରୁ ଅଧିକ ସମୟ ରହିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଅଫିସରେ ୪ ଘଣ୍ଟାରୁ ଅଧିକ କିନ୍ତୁ ସାଢ଼େ ୭ ଘଣ୍ଟାରୁ କମ୍ ସମୟ ରହିଥିଲେ ଅଧା ଦିନ ଛୁଟି କାଟି ଦିଆଯିବ। ୪ ଘଣ୍ଟାରୁ କମ୍ ସମୟ ରହିଲେ ଗୋଟିଏ ଦିନ ଛୁଟି କାଟି ଦିଆଯିବ।
ସାଢ଼େ ୧୦ଟାର ଗ୍ରେସ୍ ପରିୟଡ ପରେ ଯେଉଁମାନେ ‘ଅଫିସ୍ ଇନ୍’ କରିବେ ସେମାନେ ବିଳମ୍ବରେ ଆସୁଥିବା ଧରାଯିବ। ଗୋଟିଏ ମାସରେ ତିନି ଦିନ ବିଳମ୍ବରେ ଆସିଲେ ଗୋଟିଏ ସିଏଲ୍‌ ପଡ଼ିବ। ୧୧ଟା ପରେ ଅଫିସ ଆସିଲେ ଗୋଟିଏ ଦିନ ଛୁଟି କଟିବ।
ଏସବୁ ସହିତ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଆବଶ୍ୟକ ପଡ଼ିଲେ ଜଣେ କର୍ମଚାରୀ ସନ୍ଧ୍ୟା ସାଢ଼େ ୫ଟା ପରେ ବା ସାଢ଼େ ୭ ଘଣ୍ଟାରୁ ଅଧିକ ସମୟ କାମ କରିବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ କାମ ଶେଷ ହେବା ପର୍ଯ୍ୟନ୍ତ ଜଣେ କର୍ମଚାରୀଙ୍କୁ ଅଫିସରେ ରହିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *