ସବୁ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Spread the love

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଥିରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖିବା ସହ ଅଂଶୁଘାତ ପାଇଁ ପ୍ରସ୍ତୁତ ରହିବାକୁ ପ୍ରତି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ତାପମାତ୍ରା ବଢୁଥିବାରୁ ବରିଷ୍ଠ ନାଗରିକ ଓ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅଂଶୁଘାତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏସଓପି ଜାରି କରାଯିବା ସହ ସବୁ ମେଡିକାଲରେ ଔଷଧ ସହ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏବେ ତାପମାତ୍ରା ଯେତିକି ରହିବା କଥା, ହଠାତ୍ ତାଠାରୁ ୨ରୁ ୪ ଡିଗ୍ରି ଅଧିକ ବଢ଼ିଗଲା। ଦିନ ଓ ରାତିର ତାପମାତ୍ରା ବଢ଼ିବାରେ ଲାଗିଛି। ଆଜି ସକାଳ ୯ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୨ ଡିଗ୍ରି ଛୁଇଁଛି। ଗତକାଲି ଭୁବନେଶ୍ୱରରେ ପାରଦ ୩୭ ଡିଗ୍ରି ରହିଥିଲା । ଆଜି ତାପମାତ୍ରା ଆହୁରି ୨ ଡିଗ୍ରି ବଢିପାରେ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ଗତକାଲି ରାଜ୍ୟର ୧୫ ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିଲା । ଆଗକୁ ମଧ୍ୟ ଏପରି ତାତି ଲାଗି ରହିବ ବୋଲି ଜଣାପଡ଼ିଛି । ହେଲେ ଆସନ୍ତାକାଲି ପଶ୍ଚିମାଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *