କେଜ୍ରିଓ୍ଵାଲଙ୍କୁ ଫେବ୍ରୁଆରି ୧୭ରେ ଦିଲ୍ଲୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

Spread the love

kej

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ୫ଟି ସମନକୁ ସେ କାହିଁକି ଏଡ଼ାଇ ଯାଇଛନ୍ତି ତାହା ସ୍ପଷ୍ଟ କରିବାକୁ ଦିଲ୍ଲୀର ଏକ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲଙ୍କୁ ଫେବ୍ରୁଆରି ୧୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସପ୍ତାହରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସି (ଇଡି) କେଜ୍ରିଓ୍ଵାଲଙ୍କ ବିରୋଧରେ ସମନ ପାଳନ କରୁ ନଥିବାରୁ ତାଙ୍କ ବିରୋଧରେ ଏକ ଅଭିଯୋଗ ଅଦାଲତରେ ଦାଖଲ କରିଥିଲା। ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ଵାଲ ଫେବ୍ରୁଆରି ୨ ତାରିଖରେ ଇଡିର ପଞ୍ଚମ ସମନକୁ ପ୍ରତ୍ୟାଖ୍ୟାନ କରିବା ପରେ ଇଡି ଅଦାଲତର ଦ୍ୱାରସ୍ଥ ହୋଇଥିଲା।।

ଲୋକସଭା ନିର୍ବାଚନ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ହଇରାଣ ଓ ଟାର୍ଗେଟ କରିବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟ କରୁଥିବା ଆପ୍‌ ଏବଂ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ ଆଣିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ବେଆଇନ ବୋଲି ଘୋଷଣା କରି କେଜ୍ରିୱାଲ ଜାନୁଆରି ୧୯ର ସମନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଥିଲେ।

ନଭେମ୍ବର ୨, ଡିସେମ୍ବର ୨୧ ଓ ଜାନୁଆରି ୩୧ ତାରିଖ ପାଇଁ କେଜ୍ରିଓ୍ଵାଲଙ୍କୁ ଜାରି ହୋଇଥିବା ସମନକୁ ମଧ୍ୟ ଆପ୍‌ ମୁଖ୍ୟ ବାଦ୍‌ ଦେଇଥିଲେ।

ପୂର୍ବରୁ ଏହି ମାମଲାରେ କେଜ୍ରିୱାଲଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୯ ଘଣ୍ଟା ଧରି ପଚରାଉଚରା କରିଥିଲା। ଏହା ଗତ ବର୍ଷ ଏପ୍ରିଲ ମାସରେ ହୋଇଥିଲା।

ତେବେ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଦଳର ଦୁଇ ଜଣ ବରିଷ୍ଠ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗତ ବର୍ଷ ଫେବ୍ରୁଆରିରେ ସିସୋଦିଆ ଏବଂ ଅକ୍ଟୋବରରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *