ଡିସେମ୍ବରରେ ନୂଆ ରୂପ ନେବ ଉଦ୍ଭିଦ ଉଦ୍ୟାନ

Spread the love

gjgdggjdggj-750x430

ଭୁବନେଶ୍ୱର : ଓଡ଼ିଶାର ଗାଁ ଗହଳିରେ ୬ରୁ ୮ ପ୍ରଜାତିର ବାଉଁଶ ଦେଖିବାକୁ ମିଳିଥାଏ। ଗଣ୍ଠି ବାଉଁଶ, କଣ୍ଟା ବାଉଁଶ, ନଳୀ ବାଉଁଶ ପରି ପ୍ରଜାତି ସାଧାରଣ ଲୋକଙ୍କ ନିକଟରେ ବେଶ ପରିଚିତ ନାଁ। ଏହାବାଦ୍‌ ମଧ୍ୟ ରାଜ୍ୟ ତଥା ଦେଶ ବାହାରେ ବହୁ ପ୍ରଜାତିର ବାଉଁଶ ରହିଛି। ଯାହା ସମ୍ପର୍କରେ ଜାଣିବାକୁ ଉଦ୍ଭିଦ ବିଜ୍ଞାନୀ, ଛାତ୍ରଛାତ୍ରୀ, ଗବେଷକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ବାଉଁଶର ଏଭଳି ପ୍ରଜାତି ସମ୍ପର୍କରେ ବହିରେ ପଢ଼ୁଥିଲେ ମଧ୍ୟ ବାହାରକୁ ଯାଇ ଦେଖିବା କିମ୍ବା ତାହା ଉପରେ ଗବେଷଣା କରିବା ସମ୍ଭବପର ହୋଇପାରି ନ ଥିାଏ। ଏବେ କିନ୍ତୁ ରାଜ୍ୟ ସରକାର ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ, ଦେଶ ତଥା ବିଦେଶର ୫୦ ପ୍ରଜାତିର ବାଉଁଶକୁ ଏକାଠି କରି ନନ୍ଦନକାନନ ପରିସରରେ ଥିବା ଉଦ୍ଭିଦ ଉଦ୍ୟାନରେ ତିଆରି ଚାଲିଛି ‘ବାମ୍ବୋ ସେଟମ୍’। କେବଳ ବାଉଁଶ ନୁହେଁ, କଇଁ, ପଦ୍ମ ସମେତ ୫୦ ପ୍ରଜାତିର ଜଳଜ ଉଦ୍ଭିଦକୁ ନେଇ ମଧ୍ୟ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଉଦ୍ୟାନ। ଯେଉଁଥିରେ ଅନେକ ଅନାଲୋଚିତ ଜଳଜ ଉଦ୍ଭିଦ ସମ୍ପର୍କରେ ପର୍ଯ୍ୟଟକଙ୍କ ସମେତ ବିଶେଷଜ୍ଞ, ଛାତ୍ରଛାତ୍ରୀ ଜାଣିପାରିବେ।
ଉଦ୍ଭିଦ ଉଦ୍ୟାନର ୪.୪ ଏକର ପରିମିତ ଅଞ୍ଚଳରେ ନିର୍ମାଣଧୀନ ‘ବାମ୍ବୋ ସେଟମ୍’ର ୩.୩୫ ଏକର ଜମିରେ ୫୦ ପ୍ରଜାତିର ବାଉଁଶ ଲଗାଯାଇଛି। ଏଥିରେ ବାଉଁଶର ନାମ, ତାହାର ଉଚ୍ଚତା, ବଞ୍ଚିବା ଅବଧି ପରି ବିଷୟ ସମ୍ପର୍କରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଲ୍ଲେଖ ହୋଇଛି। ବାଉଁଶର ପ୍ରଜାତି ସହ ତାହା କେଉଁଠି ଦେଖିବାକୁ ମିଳିଥାଏ, ତାହା ଉଲ୍ଲେଖ କରାଯିବ। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବାଉଁଶ ଦେଖିବାକୁ ମିଳୁଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଦୃଷ୍ଟି ଗୋଚର ହେଉଥିବା ଅଧିକାଂଶ ପ୍ରଜାତିର ବାଉଁଶକୁ ଏଠାରେ ସ୍ଥାନିତ କରାଯାଇଛି। ଏହାବ୍ୟତୀତ ଉତ୍ତର ପୂର୍ବ ରାଜ୍ୟ, ରାୟପୁର, ଆନ୍ଧ୍ରପ୍ରଦେଶରୁ ଅଣାଯାଇଥିବା ୨୯ ପ୍ରଜାତି ବାଉଁଶ ସ୍ଥାନ ପାଇଛି। ଜାପାନ, ନେପାଳ, ଚାଇନା୍ ପରି ଅନ୍ୟ ଦେଶରୁ ଅଣାଯାଇଥିବା ୧୦ ପ୍ରଜାତିର ବାଉଁଶ ମଧ୍ୟ ରହିଛି। ଗୋଟିଏ ଗୋଟିଏ ବାଉଁଶର ଉଚ୍ଚତା ୨୫ରୁ ୩୦ ମିଟର, ଆଉ କିଛି ବାଉଁଶର ଉଚ୍ଚତା ୧୦ରୁ ୧୫ ମିଟର ମଧ୍ୟରେ ରହିଛି। ଓଡ଼ିଶାରେ ମିଳୁଥିବା ବାଉଁଶ, ଉତ୍ତର ପୂର୍ବ ଭାରତର ବାଉଁଶ, ଅର୍ନାମେଣ୍ଟାଲ ବାମ୍ବୋସ୍, ଏସିଆ ମହାଦେଶରେ ଦେଖାଯାଉଥିବା ବାଉଁଶ, ଦକ୍ଷିଣ ଭାରତ ଓ ପେନିସୁଲାରରେ ଦେଖାଯାଉଥିବା ବାଉଁଶ, ଆଣ୍ଡାମାନ ନିକୋବର ଦୀପପୁଞ୍ଜରେ ଦେଖାଯାଉଥିବା ବାଉଁଶ, ଘାସ ଜାତୀୟ ବାଉଁଶ ସମେତ ବିଭିନ୍ନ ପ୍ରଜାତିର ବାଉଁଶକୁ ନେଇ ୧୨ରୁ ଅଧିକ ଜୋନ୍‌ରେ ବିଭକ୍ତ କରାଯାଇଛି। ବାଉଁଶ ଦେଖିବାକୁ ଏହା ପରିସରରେ ଦୁଇଟି ସେଡ୍(ଗଜିବୋ) ତିଆରି ହେଉଛି, ଯେଉଁଠି ଛିଡ଼ା ହୋଇ ପର୍ଯ୍ୟଟକମାନେ କୃତ୍ରିମ ବାଉଁଶ ଉଦ୍ୟାନକୁ ଦେଖିପାରିବେ। ଏକ ବୁଦ୍ଧ ପାର୍କ ସହ ଲନ୍, ଝରଣା, ଆମ୍ଫିଥିଏଟର ତିଆରି ଚାଲିଛି। ପାଖାପାଖି ୪୫ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ ହେଉଥିବା ବଟାନିକାଲ ଗାର୍ଡେନର ଏସିଏଫ୍ ସୁଦୀପ୍ତ କୁମାର ପଣ୍ଡା କହିଛନ୍ତି।
କେବଳ ସେତିକି ନୁହେଁ, ଆଉ ଏକ ନୂଆ କଥା କରୁଛନ୍ତି କର୍ତ୍ତୃପକ୍ଷ। ଜଳଜ ଉଦ୍ୟାନରେ ୪୦ ପ୍ରଜାତିର କଇଁ, ପଦ୍ମ ଓ ଜଳଜ ଉଦ୍ଭିଦକୁ ସ୍ଥାନିତ କରାଯାଇଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରେ ଦେଖାଯାଉଥିବା କିଛି ପ୍ରଜାତିକୁ ଏଠାରେ ସାମିଲ କରାଯାଇଛି। ଭିନ୍ନ ଭିନ୍ନ କୁଣ୍ଡରେ ଅଲଗା ଅଲଗା ପ୍ରଜାତିର ଫୁଲ ରହିଛି। ଫୁଲର ପ୍ରଜାତି ଜାଣିବାକୁ ପର୍ଯ୍ୟଟକଙ୍କୁ କଷ୍ଟ ହେବ ନାହିଁ। ଓଷ୍ଟ୍ରା କଇଁ, ପିନ୍‌ୱାରି କଇଁ, ଇସ୍‌ଲାମୋରଡ଼ା କଇଁ, ଜାକ୍କାଫୋଙ୍ଗ୍‌ କଇଁ, ମିଆମି ରୋଜ କଇଁ, ପର୍ପଲ ଫାଣ୍ଟାସି କଇଁ, ଲିନ୍‌ଡେସି ଉଡ୍‌ କଇଁ ଆଦି ପ୍ରଜାତି ଏସବୁରେ ସ୍ଥାନ ପାଇଛନ୍ତି। ଏହାସହ ୧୪୦ ପ୍ରଜାତିର ଜଳଜ ଉଦ୍ଭିଦକୁ ନେଇ ଆକ୍ବାରିୟମ୍ ଏଲ୍‌ସିଡି ସ୍କ୍ରିନ୍‌ ମାଧ୍ୟମରେ ପ୍ରଦର୍ଶନ ପାଇଁ ରଖାଯାଇଛି। ଗୋଟିଏ ପଦ୍ମ ପୋଖରୀରେ ଭଳିକି ଭଳି ପ୍ରଜାତିର ପଦ୍ମ ଦେଖିବାକୁ ମିଳୁଥିବା ବେଳେ କଇଁଛ ପୋଖରିରେ ୨୫ ପ୍ରଜାତିର କଇଁ ଓ ପଦ୍ମ ଏହାର ଶୋଭା ବୃଦ୍ଧି କରୁଛନ୍ତି। ୭୫ ହେକ୍ଟର ପରିମିତ ଉଦ୍ଭିଦ ଉଦ୍ୟାନରେ ୨୪ଟି ବିଭିନ୍ନ ବଗିଚା ରହିଛି। ୨୦୧୩ ବର୍ଗଫୁଟର ଏକ ପ୍ରଶସ୍ତ କାଚ ଘରେ(ଗ୍ଲାସ୍ ହାଉସ୍)‌ ସୁଗନ୍ଧିତ ଉଦ୍ଭିଦଗୁଡ଼ିକ ରହିଛି। ନଭେମ୍ବରରୁ ମାର୍ଚ୍ଚ ମାସ ମଧ୍ୟରେ ଏହାକୁ ଉପଭୋଗ କରିହେବ। ୧୦୮୦ ବର୍ଗଫୁଟର ପଲି ହାଉସ୍‌ରେ ୧୨୦୦ରୁ ଅଧିକ ପ୍ରଜାତିର କାକ୍ଟି ଉଦ୍ଭିଦ ଉପଲବ୍ଧ ଥିବା ବେଳେ ରାଜ୍ୟର ସବୁଠାରୁ ବଡ ଅର୍କିଡ୍ ଘର ୫୦୦୦ ବର୍ଗଫୁଟ ଅଞ୍ଚଳକୁ ବ୍ୟାପିଛି। ଏଠାରେ ୩୭ ପ୍ରଜାତିର ୫୭ ପ୍ରକାରର ୧୦୦୦ରୁ ଅଧିକ ଅର୍କିଡ୍ ପ୍ରଦର୍ଶିତ ହୋଇଛି।
ନନ୍ଦନକାନନ ଉପ‌ନିର୍ଦ୍ଦେଶକ ସନଥ କୁମାର ନାରାୟଣଙ୍କ କହିବାନୁଯାୟୀ, ଦେଶ ବିଦେଶରେ ଦେଖାଯାଉଥିବା ବାଉଁଶ ଓ ଜଳଜ ଉଦ୍ଭିଦଗୁଡ଼ିକର ସଂରକ୍ଷଣ କରିବାକୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଏହାର ରୂପରେଖ ପ୍ରସ୍ତୁତ ସହ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଛି। ଡିସେମ୍ବର ମାସରେ ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *