୨ହଜାର ଟଙ୍କିଆ ବଦଳ ପାଇଁ ଭିଡ଼: ଇଡି, ଇଓଡବ୍ଲ୍ୟୁକୁ ଦେଖି ଉଭାନ

Spread the love

fshffshffhfsh-750x430

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦୁଇ ହଜାର ଟଙ୍କିଆ ବଦଳ ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇଥିଲେ ଅନେକ ଲୋକ। ହଜାର ହଜାର ଟଙ୍କା ବଦଳାଉଥିଲେ। ହଠାତ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍‌। ଦୁଇଟି ପୃଥକ୍ ପୃଥକ୍ ଟିମ୍ ଆରମ୍ଭ କରିଥିଲେ ପଚରାଉଚରା। ଧାଡ଼ିରେ ଠିଆ ହୋଇଥିବା ଲୋକଙ୍କ ଠାରୁ ବୁଝିଥିଲେ- କେଉଁଠୁ ଏ ଟଙ୍କା ଆଣିଲ? ଏଯାଏ କାହିଁକି ଫେରାଇ ନଥିଲ? ତୁମ ଘର କେଉଁଠି, ଠିକଣା କଣ? ବାସ୍, ଏତିକିରେ ଧୀରେଧୀରେ ଛତ୍ରଭଙ୍ଗ ଦେବା ଆରମ୍ଭ ହେଲା। ଲମ୍ବା ଲାଇନ୍ କମିବାରେ ଲାଗିଲା। କିଛି ସମୟ ପରେ ଆଉ କେହି ଆସିନଥିଲେ। ରାଜ୍ୟରେ ଟଙ୍କା ବଦଳ ଘଟଣାଟି ଆଜି ଏଭଳି ନାଟକୀୟ ମୋଡ଼ ନେଇଛି। ତେବେ ଉଭୟ ସଂସ୍ଥା ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ। ମାତ୍ର ସିସିଟିଭି ଯାଞ୍ଚ କରାଯାଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏଥିସହିତ ଏହି ପଇସା କାହାର ସେ ନେଇ ସନ୍ଦେହ ଦ୍ବିଗୁଣିତ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ଦିନ ୧୦ଟା ବାଜୁ ବାଜୁ ଆର୍‌ବିଆଇ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଗାଡ଼ି ଲାଗିଯାଉଛି। କିଛି ଲୋକ ନିଜେ ଆଣିଥିବା ଟଙ୍କା ବଦଳାଇବା ପାଇଁ ଲାଇନରେ ଠିଆ ହେଉଛନ୍ତି। ଆଉ କିଛି ପୂର୍ବରୁ ଧାଡ଼ିରେ ଥିବା ଲୋକ (ଦିନ ମଜୁରିଆ ଶ୍ରେଣୀୟ)ଙ୍କ ମାଧ୍ୟମରେ ଟଙ୍କା ବଦଳାଇବା ପାଇଁ ଉଦ୍ୟମ କରୁଛନ୍ତି। ଏହାଛଡ଼ା ସେଠାରେ ଦଲାଲ୍‌ ବି ବେଶ୍‌ ସକ୍ରିୟ ଅଛନ୍ତି। ଦାମୀ ଗାଡ଼ି ଦେଖି କିଏ ଗାଡ଼ି ପାଖକୁ ଯାଇ ପଚାରୁଛି; ସାର ଆପଣଙ୍କର ନୋଟ୍‌ ବଦଳା ହେବ କି? ଲୋକ ଆସିଛନ୍ତି ନା ଆମେ ଲୋକଦେବୁ। ଆମେ ୧୦% ନେବୁ। ଯାହାର ଲୋକ ନାହାନ୍ତି ସେମାନେ ବାଧ୍ୟ ହୋଇ ସେ ଦଲାଲଙ୍କ ହାତରେ ନୋଟ୍‌ ବିଡ଼ା ଧରାଇ ଦେଉଥିଲେ। ଯେଉଁମାନଙ୍କ ଲୋକ ଅଛନ୍ତି ସେମାନଙ୍କ ସହ ମୂଲଚାଲ କରୁଛନ୍ତି। ଲୋକ ମଜୁରିରେ ଆସି ଟଙ୍କା ବଦଳାଉଥିବାରୁ ଦଲାଲଙ୍କ ବ୍ୟବସାୟ କମିବାରେ ଲାଗିଛି। ଯାହାକୁ ନେଇ ସେମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଯେଉଁମାନଙ୍କୁ ନୋଟ୍‌ ବଦଳାଇବା ପାଇଁ ପଠାଯାଇଛି; ସେମାନଙ୍କୁ ମୁହଁ ନଖୋଲିବା ପାଇଁ କୁହାଯାଇଛି। ଏଭଳି ତାଲିମ ଦିଆଯାଇଛି ଯେ‌ କିଏ କହୁଛି ମୁଁ ମୋ ଝିଅ ବାହାଘର ପାଇଁ ଟଙ୍କା ରଖିଥିଲି। ତ କିଏ କହୁଛି ମୁଁ ତ ବେଶି ପାଠ ପଢ଼ିନାହିଁ; ଟଙ୍କା ବଦଳକଥା ଜାଣିପାରି ନଥିଲି। ଏମିତି କେତେ କ’ଣ ବାହାନା ଦେଖାଉଛନ୍ତି। କିଏ ଟଙ୍କା ଦେଲା? କାହାଠାରୁ ଟଙ୍କା ଆଣୁଛନ୍ତି? ସେ ନେଇ ଆଦୌ ମୁହଁ ଖୋଲୁ ନାହାନ୍ତି। ଏହି ଟଙ୍କା କାହାର ତାହା ଠୋସ୍ ଭାବେ ଜଣାପଡ଼ିନଥିଲେ ହେଁ, ଏଥିରୁ କଳା ଟଙ୍କା ଥାଇପାରେ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି।
ଆର୍‌ବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି। ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି। ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଆକାଉଣ୍ଟରେ ଜମା ହେଉଛି। ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଥରକେ ୧୦ଟି ଦୁଇ ହଜାର ଟଙ୍କିଆ ନୋଟ୍‌ ଅର୍ଥାତ ୨୦ ହଜାର ଟଙ୍କା ବଦଳ କରିପାରିବ। ତେବେ ସେ ଦିନକରେ କେତେଥର ବଦଳାଇବେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ କଟକଣା ନାହିଁ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବ। ଏଥିପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କର ତଥ୍ୟସହ ପ୍ୟାନ୍‌, ଆଧାର, ଭୋଟର ଆଇଡି ଆଦି ଦେଇ ଟଙ୍କା ଜମାକରିବେ। ୨ରୁ ୩ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା କ୍ରେଡିଟ୍‌ ହୋଇଯିବ। ଆକାଉଣ୍ଟରେ ଜମା ପାଇଁ ସ୍ବତନ୍ତ୍ର କାଉଣ୍ଟର ରହିଛି। ତେବେ ଦୈନିକ କିଏ କେତେ ଟଙ୍କା ବଦଳ କଲେ? କିଏ କେତେ ଟଙ୍କା ଜମା କରିଛନ୍ତି? ତା’ର ତଥ୍ୟ ରେକର୍ଡ କରାଯାଉଛି।

Leave a Reply

Your email address will not be published. Required fields are marked *