ବସକୁ ଅଟକାଇ କାଚ ଭାଙ୍ଗିଲା ହାତୀ, ଆତଙ୍କିତ ହୋଇ ଦୌଡ଼ିଲେ ଲୋକେ
ରାୟଗଡ଼ା: ରାସ୍ତା ଉପରେ ବସକୁ ଅଟକାଇଲା ଆଉ ଶୁଣ୍ଢରେ କାଚ ଭାଙ୍ଗିଲା ଦନ୍ତା ହାତୀ। ପୁଣି ବସ୍କୁ ଠେଲିବାକୁ ଲାଗିଲା । ତେବେ ବସ୍ ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍ ଯାତ୍ରୀମାନେ ରକ୍ଷା ପାଇଗଲେ । ଡ୍ରାଇଭର ବସ୍ ଟିକୁ ପଛୁଆ ନେଇ ଯିବା ଫଳରେ ହାତୀ ଆଉ ଆଗକୁ ଗଲା ନାହିଁ । ହେଲେ ପାଖରେ ଥିଲା ଲୋକମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲା । ଲୋକେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଗଲେ । ରାୟଗଡ଼ା ଜିଲ୍ଲା ଆନ୍ଧ୍ର ପ୍ରଦେଶ ସୀମାନ୍ତ କେରେଡ଼ା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମ୍ ଠାରୁ ରାୟଗଡ଼ା କଲ୍ୟାଣସିଂପୁରକୁ ଆସୁଥିବା ଯାତ୍ରୀବାହୀ ବସ ବିଜୟଦୁର୍ଗାର ଯାତ୍ରୀମାନେ ଆଜି ଈଶ୍ୱରଙ୍କୁ କୋଟି କୋଟି ପ୍ରଣାମ କରୁଛନ୍ତି । କାରଣ ଦନ୍ତା ହାତୀଟି ବସ୍ କାଚ ଭାଙ୍ଗି ଛଡ଼ା ଆଉ କିଛି କ୍ଷତି କରି ନଥିଲା । ନହେଲେ କଣ ଯେ ହୋଇଥାନ୍ତା ।