ତାଞ୍ଜାନିଆର ଜାଞ୍ଜିବରରେ ଖୋଲିବ ‘ଆଇଆଇଟି କ୍ୟାମ୍ପସ୍‌’

Spread the love

ନୂଆଦିଲ୍ଲୀ:  ତାଞ୍ଜାନିଆର ଜାଞ୍ଜିବରରେ ‘ଆଇଆଇଟି କ୍ୟାମ୍ପସ୍‌’ ଖୋଲିବ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ବିଦେଶୀ ରାଷ୍ଟ୍ରରେ ଏହା ହେବ ଭାରତର ପ୍ରଥମ ‘ଆଇଆଇଟି କ୍ୟାମ୍ପସ୍‌’। ଜାଞ୍ଜିବର ହେଉଛି ପୂର୍ବ ଆଫ୍ରିକା ଉପକୂଳ ଅନ୍ତର୍ଗତ ସମୁଦ୍ରରେ ବିସ୍ତୃତ ତାଞ୍ଜାନିଆ ଦ୍ବୀପପୁଞ୍ଜରୁ ଗୋଟାଏ। ସେଠାରେ ‘ଆଇଆଇଟି-ମାଡ୍ରାସ୍’ର କ୍ୟାମ୍ପସ୍‌ ଖୋଲିବା ଲାଗି ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଜାଞ୍ଜିବରର ରାଷ୍ଟ୍ରପତି ହୁସେନ୍‌ ଅଲି ଏମୱିନିୟିଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି ରାଜିନାମା ସ୍ବାକ୍ଷରିତ ‌ହୋଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଜୟଶଙ୍କର ତାଞ୍ଜାନିଆ ଗସ୍ତରେ ଅଛନ୍ତି।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଲେଖିଛି: ଜାଞ୍ଜିବରରେ ସ୍ଥାପନ ହେବ ବିଦେଶୀ ରାଷ୍ଟ୍ରରେ ପ୍ରଥମ ‘ଆଇଆଇଟି କ୍ୟାମ୍ପସ୍’। ଏଥିପାଇଁ ଭାରତର ଶିକ୍ଷା ମନ୍ତ୍ରାଳୟ, ‘ଆଇଆଇଟି-ମାଡ୍ରାସ’ ଏବଂ ଜାଞ୍ଜିବରର ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ଏହି କ୍ୟାମ୍ପସ୍‌ ହେଉଛି ଭାରତ ଓ ତାଞ୍ଜାନିଆ ମଧ୍ୟରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବର ପ୍ରତିଫଳନ ଓ ସମଗ୍ର ଦକ୍ଷିଣ ଆଫ୍ରିକା ଓ ‘ଗ୍ଲୋବାଲ୍‌ ସାଉଥ୍‌’ ସହିତ ଜନସମ୍ପର୍କ ସ୍ଥାପନ ପାଇଁ ଭାରତ ଦେଇଥିବା ଗୁରୁତ୍ବର ନିଦର୍ଶନ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ୨୦୨୩ରେ ଅକ୍ଟୋବରରେ ଏହି କ୍ୟାମ୍ପସ୍‌ ଯୋଜନାର ଶୁଭାରମ୍ଭ ହେବ।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ବବିଦ୍ୟାଳୟମାନଙ୍କୁ ଅନ୍ୟ ଦେଶମାନଙ୍କରେ କ୍ୟାମ୍ପସ୍‌ ଖୋଲିବାକୁ  ଉତ୍ସାହ ଦିଆଯିବ ବୋଲି ‘ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ସୁପାରିସ କରିଛି।

Leave a Reply

Your email address will not be published. Required fields are marked *