ପରିସ୍ରା କାଣ୍ଡ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡ଼ିତ ଆଦିବାସୀଙ୍କ ଗୋଡ଼ ଧୋଇଲେ, କ୍ଷମା ମାଗିଲେ
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପରିସ୍ରା କାଣ୍ଡ ପୀଡ଼ିତଙ୍କ ଗୋଡ଼ ଧୋଇଛନ୍ତି। ସେ ତାଙ୍କ ଭୋପାଳସ୍ଥିତ ସରକାରୀ ବାସଭବନକୁ ଡକାଇ ପୀଡିତଙ୍କୁ ଭେଟିଥିଲେ। ଏହି ସମୟରେ ଶିବରାଜ ସିଂ ଘଟଣା ପାଇଁ ତାଙ୍କୁ କ୍ଷମା ମାଗିଥିଲେ। ମୁଖ୍ୟମନ୍ତ୍ରୀ ପୀଡ଼ିତଙ୍କ ଗୋଡ଼ ଧୋଇ ଦେଇଥିଲେ, ତାଙ୍କର ଆଳତି କରିଥିଲେ ଏବଂ ତାଙ୍କୁ ସାଲ୍ ଘୋଡାଇ ସମ୍ମାନିତ କରିଥିଲେ।
ପୀଡ଼ିତଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ଟ୍ଵିଟ୍ କରି ଲେଖିଛନ୍ତି, ‘ମନ ଦୁଃଖ ଅଛି। ଦଶମତ୍ ଜୀ ଆପଣଙ୍କ ଯନ୍ତ୍ରଣା ବାଣ୍ଟିବାର ଏହା ଏକ ପ୍ରୟାସ। ଆପଣଙ୍କୁ କ୍ଷମା ମାଗୁଛି। ମୋ ପାଇଁ ଜନତା ହିଁ ଭଗବାନ’।ଏହା ପୂର୍ବରୁ ମଧ୍ୟ ସିଏମ୍ ଟ୍ଵିଟ୍ କରି ଆଦିବାସୀ ଯୁବକ ଏବଂ ତାଙ୍କ ପରିବାରକୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଏକ ଟ୍ଵିଟ୍ରେ କହିଥିଲେ ଯେ ଜୁଲାଇ ୬ରେ ସେ ମୁଖ୍ୟମନ୍ତ୍ରୀ ବାସଭବନରେ ପୀଡିତଙ୍କ ପରିବାରକୁ ଭେଟିବେ।
ମଧ୍ୟ ପ୍ରଦେଶର ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ତାଙ୍କ ଘରେ ବୁଲ୍ଡୋଜର ବୁଲିଛି। ବୁଲ୍ଡୋଜର ସାହାଯ୍ୟରେ ଅଭିଯୁକ୍ତଙ୍କ ଘର ଭଙ୍ଗାଯାଇଛି।
ଗତ ମଙ୍ଗଳବାର ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପାଖାପାଖି ସପ୍ତାହେ ପୁରୁଣା ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ମାମଲା ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୯୪, ୫୦୪ ଓ ଏସ୍ସି/ଏସ୍ଟି ଆକ୍ଟରେ ମାମଲା ରୁଜୁ ହୋଇଛି।
ସୂଚନାଥାଉ କି, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଅଭିଯୁକ୍ତଙ୍କ ଉପରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (NSA) ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।