ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରଙ୍କୁ ‘କଳାପାଣି’ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲା ଜାତୀୟ ତଦନ୍ତକାରୀ ସଂସ୍ଥା
ନୂଆଦିଲ୍ଲୀ: ଉତ୍ତର ଭାରତୀୟ ଜେଲରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା କାରାଗାର (କଳାପାଣି)କୁ ସ୍ଥାନାନ୍ତର କରିବାକୁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଜି ଗୃହ ମନ୍ତ୍ରାଳୟକୁ ଚିଠି ଲେଖିଛି। ଚିଠିରେ ଦିଲ୍ଲୀର ତିହାର ଜେଲରୁ ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ସ୍ଥାନାନ୍ତର କରିବା ବିଷୟରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ନିକଟରେ ଦିଲ୍ଲୀର ତିହାର ଜେଲ ପରିସରରେ ଜଣେ ଅପରାଧୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଉତ୍ତର ଭାରତୀୟ ଜେଲ୍ ଭିତରେ ଥାଇ ଗ୍ୟାଙ୍ଗଷ୍ଟରମାନେ ସେମାନଙ୍କର ଗ୍ୟାଙ୍ଗ୍ ଚାଲାଇଛନ୍ତି ବୋଲି ତଦନ୍ତକାରୀ ସଂସ୍ଥା କହିଛି।
ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଏଥିପାଇଁ ଅନ୍ୟ ରାଜ୍ୟରେ ଆବଶ୍ୟକ ଅନୁଯାୟୀ ଅନୁମତି ଆବଶ୍ୟକ ହେବ ନାହିଁ। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟକୁ ଏନଆଇଏର ଏହା ଦ୍ୱିତୀୟ ଚିଠି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସ୍ୱାଲାଙ୍କ ହତ୍ୟାମାମଲାରେ ଅଭିଯୁକ୍ତ ଲରେନ୍ସ ବିଷ୍ନୋଇଙ୍କ ସମେତ ୨୫ ଜଣ କୁଖ୍ୟାତ ଅପରାଧୀଙ୍କୁ ଦକ୍ଷିଣ ଭାରତୀୟ ଜେଲକୁ ସ୍ଥାନାନ୍ତର କରିବାକୁ ତଦନ୍ତକାରୀ ସଂସ୍ଥା କିଛି ମାସ ତଳେ ମନ୍ତ୍ରାଳୟକୁ ଚିଠି ଲେଖିଅନୁରୋଧ କରିଥିଲା।
ଜେଲରେ ଥିବା ଗ୍ୟାଙ୍ଗଷ୍ଟର ତିଲୁ ତାଜପୁରିଆଙ୍କ ହତ୍ୟା ପରେ ଦିଲ୍ଲୀର ତିହାର ଜେଲ ମଧ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟରମାନଙ୍କୁ ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛି।
ତିହାର ଜେଲ୍ ପ୍ରଶାସନର ଯୁକ୍ତି ଥିଲା ଯେ ତାଙ୍କ ଅଧୀନରେ ୧୬ଟି ଜେଲ୍ ରହିଛି, ଯେଉଁଥିରେ ମାତ୍ର ୧୦,୦୦୦ କ୍ଷମତା ଥିବା ବେଳେ ଏବେ ୨୦.୦୦୦ରୁ ଅଧିକ ଅପରାଧୀ ସେଠାରେ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କୁଖ୍ୟାତ ହୋଇଥିବାରୁ ଆଇନଶୃଙ୍ଖଳାକୁ ନେଇ ଚିନ୍ତା ବଢ଼ିଛି ବୋଲି ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।