ବେଆଇନ ଦର୍ଘା ଯୋଗୁଁ ଖଣ୍ଡପ୍ରଳୟ; ଜଣେ ମୃତ, ୧୭୪ଜଣ ଅଟକ
ଜୁନାଗଡ଼: ଜବରଦଖଲ ଜମିରେ ନିର୍ମିତ ଦର୍ଘା ଭାଙ୍ଗିବା ଲାଗି ମୁନିସ୍ପାଲିଟି ନୋଟିସ୍ ଜାରି କରିବାରୁ ଶୁକ୍ରବାର ସନ୍ଧ୍ୟାରେ ଗୁଜରାଟର ଜୁନାଗଡ଼ ଜିଲ୍ଲାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ପୁଲିସ କହିଛି।
ସଦ୍ୟତମ ସୂଚନା ଅନୁସାରେ, ଏହି ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ପ୍ରାୟ ୧୭୪ଜଣଙ୍କୁ ପୁଲିସ ଅଟକ ରଖିଛି।
ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ୨୦୦ରୁ ୩୦୦ ଲୋକ ଏକତ୍ର ହୋଇ ପୁଲିସ କର୍ମଚାରୀଙ୍କ ଉପରକୁ ଟେକାପଥର ଫିଙ୍ଗିବା ସହିତ ଥାନାରେ ଭଙ୍ଗାରୁଜା କରି ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣ ଘଟଣାରେ ଜଣେ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ସମେତ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ୨୦୦ରୁ ୩୦୦ ଲୋକ ଉକ୍ତ ଦର୍ଘା ଚାରିପଟେ ଘେରି ଉଚ୍ଛେଦ ବିରୋଧରେ ପ୍ରତିବାଦ କରୁଛନ୍ତି। ସେମାନେ ଚିତ୍କାର କରିବା ସହିତ ପୁଲିସ ଗାଡ଼ି ଉପରକୁ ଟେକାପଥର ଫିଙ୍ଗୁଥିବା ଦୃଶ୍ୟ ଦେଖାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଦର୍ଘା ବାହାରେ ଉଚ୍ଛେଦ ନୋଟିସ ଲଗାଇବା ପାଇଁ ‘ଜୁନାଗଡ଼ ମୁନିସ୍ପାଲ୍ କର୍ପୋରେସନ୍’ର କର୍ମଚାରୀମାନେ ମାଜେୱାଡ଼ି ଗେଟ୍ ସମ୍ମୁଖରେ ପହଞ୍ଚିଥିଲେ।
ନୋଟିସ୍ରେ ଉଲ୍ଲେଖ ଅଛି: ଏହି ଦର୍ଘା ବେଆଇନ ଭାବେ ନିର୍ମିତ। ଯଦି ଆଇନ ଅନୁଯାୟୀ ଦର୍ଘା ନିର୍ମାଣ କରାଯାଇଛି, ତେବେ ୫ ଦିନ ମଧ୍ୟରେ ତାହାର ପ୍ରମାଣ ଦାଖଲ କରାଯାଉ। ନଚେତ୍ ଏହାକୁ ଭାଙ୍ଗିଦିଆଯିବ ଓ ଭଙ୍ଗା ବାବଦ ବ୍ୟୟ ଦର୍ଘା ପରିଚାଳନା କମିଟି ବହନ କରିବ।
ଏହି ନୋଟିସ୍ ଯୋଗୁଁ ଶୁକ୍ରବାର ରାତି ୯ଟା ବେଳେ ଦର୍ଘା ନିକଟରେ ଉତ୍ତେଜନା ସୃଷ୍ଟି ହୋଇ ହିଂସାକାଣ୍ଡ ଘଟିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ବହୁସଂଖ୍ୟକ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା କଥା ପୁଲିସ କହିଛି।