କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ-ଚଣ୍ଡିଗଡ଼ ରାଜପଥ ବନ୍ଦ
ଚଣ୍ଡିଗଡ଼ : ସର୍ବନିମ୍ନ ସହାୟକ ମୂଲ୍ୟରେ ସୂର୍ଯ୍ୟମୁଖୀ ମଞ୍ଜି କିଣିବା ଦାବିରେ ହରିୟାଣାର କୁରୁକ୍ଷେତ୍ରର କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୁରୁକ୍ଷେତ୍ର ସ୍ଥିତ ପିପଲିର କୃଷକମାନେ ଗତ ୨୧ ଘଣ୍ଟା ଧରି ଦିଲ୍ଲୀ-ଚଣ୍ଡିଗଡ଼-ଅମୃତସର ରାଜପଥରେ ବସିଛନ୍ତି । କୃଷକମାନେ ରାଜପଥରେ ରାତି କାଟିବା ସହ ଏଠାରେ ଖାଇ ପିଇଛନ୍ତି ।
ଦିଲ୍ଲୀ-ଚଣ୍ଡିଗଡ଼-ଅମୃତସର ପରି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରାଜପଥ ବନ୍ଦ ହେବା ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମାଲ ପରିବହନ ପ୍ରଭାବିତ ହୋଇଛି । ମଙ୍ଗଳବାର ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, କୃଷକମାନେ ରାଜପଥରେ ବସିଥିବାରୁ ଏହି ରାଜପଥରେ ୩୦ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ ହୋଇଛି । ରାଜପଥରୁ ପାର୍ଶ୍ୱରୁ ୟୁ-ଟର୍ଣ୍ଣ ନେଇ ଲୋକେ ସର୍ଭିସ ରୋଡରେ ଆଗକୁ ବଢୁଥିବା ବେଳେ ଏହି ସର୍ଭିସ ରୋଡ ମଧ୍ୟ ଜାମ୍ ହୋଇଯାଇଛି । ଏହା ଫଳରେ ଘଣ୍ଟା ଘଟଣା ଧରି ଯାନବାହାନଗୁଡ଼ିକ ଫସି ରହିଛନ୍ତି ଓ ପ୍ରବଳ ଖରାରେ ଲୋକମାନେ ହିନସ୍ତା ହେଉଛନ୍ତି ।
ଗତ ଜୁନ୍ ୬ ତାରିଖରେ କୁରୁକ୍ଷେତ୍ରର ଶାହାବାଦରେ କୃଷକମାନେ ସମାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଲିସ ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଗୁରନାମ ସିଂ ଚଦୁନିଙ୍କ ସମେତ ଅନେକ କୃଷକ ନେତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହା ସତ୍ତ୍ବେ ଅନ୍ୟ କୃଷକ ନେତାମାନେ ଆନ୍ଦୋଳନକୁ ଆଗେଇ ନେଉଛନ୍ତି ।