ଆମେରିକାରେ ଟ୍ରକ୍ ଡ୍ରାଇଭରଙ୍କ ମାସିକ ରୋଜଗାର ୮ ଲକ୍ଷ ଟଙ୍କା, ରାହୁଲ ଗାନ୍ଧୀ ଆଶ୍ଚର୍ଯ୍ୟ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ନିକଟରେ ସେ ଟ୍ରକ୍ରେ ଓ୍ଵାଶିଙ୍ଗ୍ଟନ ରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଥିଲେ। ଏହି ସମୟରେ ସେ ଟ୍ରକ୍ ଡ୍ରାଇଭର ତେଜିନ୍ଦର ଗିଲ୍ଙ୍କ ସହ କଥା ହୋଇଥିଲେ। ରାହୁଲ ଏହି କଥାବାର୍ତ୍ତାର ଭିଡିଓ ମଧ୍ୟ ସେୟାର କରିଛନ୍ତି।
ରାହୁଲ ଡ୍ରାଇଭରଙ୍କ ପାଖ ସିଟ୍ରେ ବସି ଯାତ୍ରା କରିଥିଲେ। ଏହି ସମୟରେ ରାହୁଲ କହିଥିଲେ, ଆମେରିକାର ଟ୍ରକ୍ ଭାରତ ଠାରୁ ଅଧିକ ଆରାମଦାୟକ। ଏହା ଡ୍ରାଇଭରଙ୍କ କନ୍ଫର୍ଟକୁ ଦେଖି ତିଆରି କରାଯାଇଛି। ହିନ୍ଦୁସ୍ତାନରେ ଯେଉଁ ଟ୍ରକ୍ ଅଛି, ତାହାର ଡ୍ରାଇଭରଙ୍କ କନ୍ଫର୍ଟ ସହିତ କୌଣସି ସମ୍ପର୍କ ନାହିଁ। ତାହା ଟ୍ରକ୍ ଡ୍ରାଇଭରଙ୍କ ପାଇଁ ତିଆରି କରାଯାଇ ନାହିଁ। ଏହି ସମୟରେ ତେଜିନ୍ଦର ଗିଲ୍ କହିଥିଲେ, ଏଠାରେ ଟ୍ରକ୍ରେ ସେଫ୍ଟି ବହୁତ ଅଧିକ। ଏଠି କୌଣସି ପୋଲିସ ହଇରାଣ କରନ୍ତି ନାହିଁ। ଚୋରିର ଡର ନାହିଁ। ଓଭରସ୍ପୀଡିଙ୍ଗ୍ରେ ଚାଲାଣ ନିଶ୍ଚୟ କଟିଥାଏ।
ତେଜିନ୍ଦର ଆହୁରି କହିଥିଲେ, ଯଦି ଆପଣ ଆମେରିକାରେ ଡ୍ରାଇଭର୍ କାମ କରୁଛନ୍ତି, ତା’ ହେଲେ ଆରାମରେ ମାସିକ ୪ ରୁ ୫ ଲକ୍ଷ ଟଙ୍କା ହୋଇଯିବ। ନିଜର ଟ୍ରକ୍ ଥିବା ଲୋକେ ଆରାମରେ ୮ ରୁ ୧୦ ହଜାର ଡଲାର ଆୟ କରି ନିଅନ୍ତି ଅର୍ଥାତ୍ ଭାରତ ହିସାବରେ ମାସିକ ୮ ଲକ୍ଷ ଟଙ୍କା ହୋଇଯାଏ। ଏହା ଶୁଣି ରାହୁଲ ଗାନ୍ଧୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
୮ ଲକ୍ଷ ଟଙ୍କା ଶୁଣି ରାହୁଲ ଆଶ୍ଚର୍ଯ୍ୟ ହେବା ପରେ ଟ୍ରକ୍ ଡ୍ରାଇଭର କହିଥିଲେ ଯେ ଏହି ଇଣ୍ଡଷ୍ଟ୍ରୀରେ ଟଙ୍କା ବହୁତ। ଯେଉଁ ଲୋକଙ୍କ ପାଖରେ ଇନ୍ଭେଷ୍ଟ କରିବାକୁ ପଇସା ନାହିଁ, ଏହି ବିକଳ୍ପ ବହୁତ ଭଲ।