ଭୋପାଳ ସତପୁରା ଭବନରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୨ ହଜାର ସରକାରୀ ଫାଇଲ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ସତପୁରା ସରକାରୀ ଭବନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଦୀର୍ଘ ୧୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଭୟଙ୍କର ନିଆଁକୁ ଏହାକୁ ନିୟନ୍ତ୍ରଣ କରିବାରେ ଅଗ୍ନିଶମ ବିଭାଗ ଫେଲ୍ ମାରିବାରୁ ସିଆଇଏସଏଫ, ସେନା ଓ ଏୟାରଫୋର୍ସର ସହାୟତା ନିଆଯାଇଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ବି ବହୁ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଥିବା ଜଣାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଲିଡିଂ ଭିତରୁ ଧୂଆଁ ବାହାରୁଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଖବର ମୁତାବକ, ଗତକାଲି ଅପରାହ୍ନରେ ୬ ମହଲା ବିଶିଷ୍ଟ ସତପୁରା ଭବନର ପ୍ରଥମେ ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗିଥିଲା । ପରେ ଏହା ସଂପୂର୍ଣ୍ଣ ମହଲାକୁ ବ୍ୟାପୀ ଯାଇଥିଲା। ପ୍ରଥମେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ବେଳେ ପରେ ଏକ ଏସି ବ୍ଲାଷ୍ଟ ହୋଇଥିଲା।
ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ଆୟତ୍ତ କରିବାକୁ ୧୪ ଘଣ୍ଟା ଲାଗିଗଲା। ୫୦ ଦମକଳ ଗାଡ଼ି, ୩୦୦୦ ପାଣି ଟାଙ୍କି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବି ନିଆଁ ନିୟନ୍ତ୍ରଣକୁ ଆସି ପାରି ନ ଥିଲା । ତେଣୁ ଅଗ୍ନିଶମ ବିଭାଗ ଫେଲ୍ ମାରିବାରୁ ସିଆଇଏସଏଫ, ସେନା ଓ ଏୟାରଫୋର୍ସର ସହାୟତା ନିଆଯାଇଥିଲା। ତେବେ ନିଆଁରେ ୧୨ ହଜାର ଫାଇଲ ଜଳିଯାଇଥିବା ଖବର ମିଳିଛି ।
ଏହି ବିଲ୍ଡିଂରେ ଥିବା CBI, EOW, ଆଦିବାସୀ କଲ୍ୟାଣ, ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ଅଫିସ୍ ଜଳି ଛାରଖାର ହୋଇ ଯାଇଛି। ସେହିପରି ଏହି ବିଲ୍ଡିଂରେ ଥିବା ମଧ୍ୟପ୍ରଦେଶ ସରକାରଙ୍କ ଆଦିମ ଜାତି କଲ୍ୟାଣ ବିଭାଗ, ପରିବହନ ବିଭାଗ ଆଦି ଅଫିସ ର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଜଳି ଯାଇଛି।
ଏହାପରେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ୍ ଯୋଗେ ଅବଗତ କରିଥିଲେ। ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ନିମନ୍ତେ ରକ୍ଷା ମନ୍ତ୍ରୀ ଏୟାରଫୋର୍ସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିଳମ୍ବିତ ରାତିରେ AN 32 ବିମାନ ଓ MI 15 ହେଲିକପ୍ଟକୁ ଭୋପାଳ ପଠାଯାଇଥିଲା। ସେମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ନିଆଁକୁ ସମ୍ପୂର୍ଣ୍ଣ କାବୁ କରାଯାଇଥିବା ଭୋପାଳ କଲେକ୍ଟର ଆଶିଷ ସିଂ ସୂଚନା ଦେଇଛନ୍ତି।