ଚୀନ୍‌ର ସିଚୁଆନ୍‌ ପ୍ରଦେଶରେ ଭୀଷଣ ଭୂସ୍ଖଳନ, ୧୯ ମୃତ

Spread the love

ଚୀନର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ସିଚୁଆନ୍ ପ୍ରଦେଶରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଜୁନ୍ ୩ ସକାଳେ ଲେଶାନ୍‌ ସହର ନିକଟ ଜିଙ୍କୋହେରେ ଥିବା ଭାନିକି ଷ୍ଟେସନ ଉପରେ ପାହାଡ଼ର କିଛି ଅଂଶ ଭୁଶୁଡି ପଡିଥିଲା। କହି ରଖୁଛୁ, ଏଠାରେ ସପ୍ତାହେ ଧରି ପ୍ରବଳ ବର୍ଷା ଲାଗିରହିଛି।

ରିପୋର୍ଟ ମୁତାବକ, ଘଟଣାସ୍ଥଳରେ ୧୮୦ରୁ ଅଧିକ ଯବାନ ମୁତୟନ ରହି ପଥର ଗଦାରେ ପୋତି ହୋଇଥିବା ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି। ଶନିବାର ଏହି ଘଟଣା ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ରବିବାର ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା।

ତେବେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଜିଙ୍କୟୁଆନ ମାଇନିଂ କମ୍ପାନୀର କର୍ମଚାରୀ ଥିଲେ। ଯେଉଁଠାରେ ଏହି ଭୂସ୍ଖଳନ ହୋଇଥିଲା, ତାହା ଅତ୍ୟନ୍ତ ଅସୁରକ୍ଷିତ ଜାଗା ବୋଲି ଜଣାଯାଇଥାଏ। ଏହା ବ୍ୟତୀତ ଇଞ୍ଜିନିୟରିଂ ପ୍ରକଳ୍ପ ଏବଂ ଖନନ କାର୍ଯ୍ୟ ଯୋଗୁ ଏଠାରେ ବଡ଼ ଧରଣର ଭୂସ୍ଖଳନ ଘଟିଥାଏ।

ଚୀନ୍‌ରେ ଭୂସ୍ଖଳନର ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଉତ୍ତର ଚୀନ୍‌ରେ ଏକ କୋଇଲା ଖଣିରେ ଭୂସ୍ଖଳନ ହୋଇଥିଲା, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *