Chitalagi Amabasya

ଚିତାଲାଗି ଅମାବାସ୍ୟାର ମହତ୍ତ୍ବ

Spread the love

ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର (ତିନିଠାକୁର) ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି ।
ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ “ଗେଣ୍ଡେଇକଟା ଓଷା” ନାମରେ ମଧ୍ୟ ଜଣା । ବାଲେଶ୍ୱର, ମୟୁରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ “ଗେଣ୍ଡାକଟା ଅମାବାସ୍ୟା” କୁହାଯାଏ । ଏହା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଆଦିବାସୀମାନଙ୍କ ମଧ୍ୟରେ ଜନ୍ତୁଆଦିଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପାଳିତ ପର୍ବମାନଙ୍କ ମଧ୍ୟରେ ଗୋଟିଏ । ସାଧାରଣତଃ ଚାଷୀମାନେ ବର୍ଷା ଋତୁ ସମୟରେ ଧାନ ଫସଲ କରିବା ସମୟରେ, ବିଲରେ ଗେଣ୍ଡା ଯୋଗୁଁ ଗୋଡ଼ କାଟି ହୋଇ କ୍ଷତି ହୋଇଥାଏ ଏଣୁ ଏହି ସମ୍ବାବନାକୁ ଏଡ଼େଇବା ନିମନ୍ତେ ଚିତଉ ପିଠାକୁ ସାରୁ ପତ୍ରରେ ରଖି ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଜଳାଶ୍ରୟରେ ଭସା ଯାଏ।
ଏହି ଶ୍ରାବଣ ଅମାବାସ୍ୟା ଦିନ ଶ୍ରୀମନ୍ଦିର ତିନିଠାକୁରଙ୍କ ଲଲାଟରେ ଦଇତାପତିମାନେ ଚିତା ଲାଗି କରୁଥିବାରୁ ଏହାର ନାମ ଚିତାଲାଗି ଅମାବାସ୍ୟା ।
ସ୍ନାନ ପୂର୍ଣ୍ଣିମାଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଯେଉଁ ଚିତା ଉଲାଗି କରାଯାଇଥାଏ ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଳ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ଖଚିତ ନାଲି ଚିତା ଲାଗି କରାଯାଏ ।ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ। ଶ୍ରୀବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି । ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।
ଏହି ଓଷାରେ ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା’ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏମାନେ ଚାରାସବୁ କାଟି ପକାନ୍ତି । ପୁଣି ବଛା ଖେଳାବେଳେ ଚାଷୀର ଗୋଡ଼, ଆଣ୍ଠୁ ବା ହାତକୁ କାଟି ଦିଅନ୍ତି । କାରଣ ଆଣ୍ଠୁ ପକାଇ ବିଲ ବାଛିବା ବେଳେ ହାତ ଓ ଗୋଡ଼ ଭୂମି ସହିତ ଲାଗି ରହିଥାନ୍ତି । ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ ଆଣ୍ଠୁ କାଟିଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗନ୍ତି । ଗେଣ୍ଡାମାନେ ପିଠା ପ୍ରତି ଆକୃଷ୍ଟ ହୋଇ ଚାରାଗଛ ଓ ମଣିଷଠାରୁ ନିବୃତ ରହନ୍ତି । ପରମ୍ପରା ଅନୁଯାୟୀ ଏହିଦିନରେ ପୋଖରୀକୁ ଗେଣ୍ଡା ଉଦ୍ଦେଶ୍ୟରେ ଝିଅପିଲାମାନେ ପିଠା ନିକ୍ଷେପ କରି ବାପା ଭାଇ ଓ ବନ୍ଧୁବାନ୍ଧବମାନଙ୍କ ଗୋଡ଼ ନ କାଟିବାକୁ ଗେଣ୍ଡାମାନଙ୍କ ଉଦ୍ଦେଶ୍ୟରେ କହନ୍ତି:
ଗେଣ୍ଡେଇଶୁଣିଲୋ ଗେଣ୍ଡେଇଶୁଣି
ମୋ ଗୋଡ଼ କାଟିବୁ ନାହିଁ, ମୋ ବାପା ଗୋଡ଼ କାଟିବୁ ନାହିଁ,
ମୋ ବୋଉ ଗୋଡ଼ କାଟିବୁ ନାହିଁ, ଭାଇ ଗୋଡ଼ କାଟିବୁ ନାହିଁ ।
ଆମ ଫସଲ କାଟିବୁ ନାହିଁ ।
ଏଥିପାଇଁ ଏହି ଓଷାରେ ଗେଣ୍ଡାଙ୍କୁ ଗେଣ୍ଡେଇଷୁଣୀ ନାମରେ ପୂଜା ମଧ୍ୟ କରାଯାଇଥାଏ । ଏହି ବିଧି ସକାଶେ ଓଡ଼ିଶାର ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣା ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ଏବଂ ଏଠାକାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଧର୍ମନୈତିକ, ରାଜନୈତିକ କଥା ଅନୁରୂପ ପର୍ବପର୍ବାଣିକୁ ଭିନ୍ନ ଅନେକ କୃଷିଭିତ୍ତିକ ପର୍ବପର୍ବାଣି ଯଥା: ନବାନ୍ନ ଭକ୍ଷଣ, ଅକ୍ଷୟ ତୃତୀୟା, ରଜ, ଚିତାଲାଗି ଅମାବାସ୍ୟା, ଶାମ୍ବ ଦଶମୀ ଏବଂ ମାଣବସା ଗୁରୁବାର ଆଦି ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଇଥାଏ । ଓଡ଼ିଶାର ଧାନ ମୁଖ୍ୟ ଫସଲ । ଏଣୁ ଧାନବୁଣାଠାରୁ କାଟିବା ପର୍ଯ୍ୟନ୍ତ ଧାନକୁ କେନ୍ଦ୍ରକରି ବିଭିନ୍ନ ପ୍ରକାର ପର୍ବ ପାଳିତ ହୁଏ । ଧାନ ବୁଣାବେଳେ ଅକ୍ଷୟ ତୃତୀୟା, ବର୍ଷା ପୂର୍ବରୁ ରଜପର୍ବ ଏବଂ ଏହିକ୍ରମରେ ଧାନକଟା ବେଳକୁ ମାଣବସା ତୃତୀୟ କୃଷିଭିତ୍ତିକ ପର୍ବ ଭାବେ ପାଳିତ ହୁଏ ।
ଚିତାଲାଗି ପର୍ବ ଅମାବାସ୍ୟା ଦିନରେ ପଡ଼ିଥିବାରୁ କାଳ ଯୋଗନେଇ ଜିଉମାନଙ୍କୁ ଅଘଟଣ ଯୋଗ ଥାଇପାରେ । କେବେବି ରାହୁ ବା କେତୁ ଗ୍ରସ୍ତ ସୂର୍ଯ୍ୟପରାଗ ଘଟେ, ବେଳେବେଳେ ଚତୁର୍ଦ୍ଦଶୀ ଏବଂ ଅମାବାସ୍ୟାକୁ ଧରି ଏପଟ ସେପଟ ହୁଏ । ଏହି ଦିନ ଯେଉଁ ଶ୍ରାଦ୍ଧ ପଡ଼େ ତାକୁ ପାର୍ବଣ ଶ୍ରାଦ୍ଧ କହନ୍ତି । ମନ୍ଦିର ବ୍ୟତୀତ ଘରେ ଯେଉଁ ଚିତାଲାଗି ପର୍ବ ପାଳିତ ହୁଏ ତାକୁ ଗୃହିଣୀ ଚିତାଲାଗି ପର୍ବ କହନ୍ତି ।

Leave a Reply

Your email address will not be published. Required fields are marked *