ପ୍ରଥମେ ଭୋଗ ପରିତ୍ୟାଗ ହେଉ !

Spread the love
ହରିହର ତ୍ରିପାଠୀ
ପାଳିତ ହେଉଛି ଦଶମ ଅନ୍ତର୍ଜାତୀୟ ଯୋଗଦିବସ  ।  ୨୦୧୫ ମସିହାରେ ପାଳିତ ହୋଇଥିଲା ପ୍ରଥମ ଯୋଗ ଦିବସ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଯେତେବେଳେ ଜୁନ୍ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଗଲା ସେତେବେଳେ ଏହି ପ୍ରସ୍ତାବ ଜାତିସଂଘରେ ସର୍ବାଧିକ ସଦସ୍ୟ ଦେଶଙ୍କ ସମର୍ଥନ ହାସଲ କରିଥିଲା  । ଆଜି ସମଗ୍ର ବିଶ୍ବ ଯୋଗମୟ ହୋଇଯାଇଛି କହିଲେ ଚଳେ  । ଯୋଗକୁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବରେ ଲୋକେ ଗ୍ରହଣ କରି ସାରିଛନ୍ତି  । ପ୍ରତିବର୍ଷ ଯୋଗଦିବସରେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଲୋକେ ଯୋଗକରୁଥିବାର ଦେଖାଯାଇଛି  । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦିନ ସାଧାରଣ ଲୋକଙ୍କ ସହ ମିଶି ଯୋଗାଭ୍ୟାସ କରନ୍ତି  । କେବଳ ମୋଦି ନୁହଁନ୍ତ  ଯୋଗଗୁରୁ ବାବା ରାମଦେବ ମଧ୍ୟ ସବୁବର୍ଷ ତାଙ୍କ ଶିବିରରେ ଲୋକଙ୍କ ସଂଖ୍ୟା ବଢ଼ାଇ ରେକର୍ଡ କରୁଛନ୍ତି ବୋଲି ଦାବି କରୁଛନ୍ତି  ।
ତେବେ ଏହି ଯୋଗ ଦିବସ ଅବସରରେ ଗୋଟିଏ କଥା ମନକୁ ଆସେ ଏବେ ଯୋଗ କରୁଥିବା ଲୋକ ସବୁ କିଏ ? ଗରିବ, ଖଟିଖିଆ ମଳିମୁଣ୍ଡିଆଲୋକଟି, କୃଷକ, ଶ୍ରମିକ ଅଥବା ଶାରୀରିକ ପରିଶ୍ରମ କରୁଥିବା ଭାରତୀୟଟି ଆଦୌ ଯୋଗ କରେନା  । କାରଣ ନିତିଦିନ ହାଡ଼ଭଙ୍ଗା ଖଟଣି ଖଟୁଥିବା ଲୋକଟି ଲାଗି ଯୋଗର ଆଦୌ ଆବଶ୍ୟକତା ନାହିଁ କହିଲେ ଚଳେ  । ତାର ପରିଶ୍ରମ ହିଁ ତାର ଯୋଗ  । ତେବେ ଯୋଗ କିଏ କରନ୍ତି ? ଭୋଗୀମାନେ ହିଁ ଯୋଗ କରନ୍ତି  । ପରିଶ୍ରମ କାତର ଲୋକେ ହିଁ ସକାଳୁ ସକାଳୁ ସତରଞ୍ଜି ବା ଆସନ କାଖରେ ଜାକି ପାର୍କ ଦୌଡନ୍ତି ଓ ବାବା ରାମଦେବଙ୍କ ପରଷା ଜ୍ଞାନକୁ ପାଥେୟ କରି ଆକାଶକୁ ଗୋଡ ଟେକନ୍ତି ବା ପେଟକୁ ଭିତର ବାହାର କରନ୍ତି  । ତେବେ ଏହା କ’ଣ ଯୋଗ ??
ଭାରତବର୍ଷର ହଜାର ହଜାର ବର୍ଷର ଅନୁଭବସିଦ୍ଧ ଆଧ୍ୟାତ୍ମିକ ବିଜ୍ଞାନଟି କ’ଣ ଏତେ ଶସ୍ତା ଓ ସହଜ ?? ଯଦି ସହଜ ତେବେ ତାହା ଆଜିଯାଏଁ  ଏମିତି ଅଲୋଡ଼ା ହୋଇ ରହିଥିଲା କାହିଁକି ??? ପ୍ରକୃତ କଥା ହେଉଛି ବାବା ରାମଦେବ, ରବିଶଙ୍କର ବା ଏମିତି କିଛି ବିଶ୍ବପ୍ରସିଦ୍ଧ ଯୋଗଗୁରୁମାନେ ଯାହା କରୁଛନ୍ତି ବା ଲୋକଙ୍କୁ ଶିଖାଉଛନ୍ତି ତାହା ଶରୀର ରକ୍ଷାର କେତେକ ବ୍ୟାୟାମ ଓ ଶ୍ବାସକ୍ରିୟାର କିଛି ନିୟନ୍ତ୍ରଣ ମାତ୍ର  । ଏହା କେବେ ବି ସଂପୂର୍ଣ୍ଣ ଯୋଗ ନୁହେଁ ।
ପ୍ରଧାନମନ୍ତ୍ରୀ ମୋଦି କହୁଛନ୍ତି ସମସ୍ତେ ଯୋଗ କରିବା ଦରକାର  । ଏହା ସମ୍ଭବ କି ?  ସମସ୍ତେ ଯୋଗ କରିପାରିବେ ନାହିଁ ବରଂ ଯୋଗ ସହ ସଂଶ୍ଳିଷ୍ଟ କିଛି ଆସନ, କିଛି ପ୍ରାଣାୟାମ ସମସ୍ତେ କରିପାରିବେ ଯାହାକି ସେମାନଙ୍କୁ ଏକ ସୁସ୍ଥ ଜୀବନ ବଞ୍ଚିବାରେ ସହାୟକ ହେବ  ।  ତେବେ ଜଣେ ଯଦି ଯୋଗ କରିବାକୁ ଚାହେଁ ବା ଯୋଗୀ ହେବାକୁ ଚାହେଁ  ତେବେ ସେଥିଲାଗି ତାକୁ ପ୍ରଥମେ ପ୍ରସ୍ତୁତ ହେବାକୁ ହେବ  ।  ଆଜିର ଆଧୁନିକ ମାନବ ଭୋଗରେ ବୁଡିଥିବାବେଳେ ଯୋଗ ଲାଗି  ପ୍ରସ୍ତୁତ କି?  ପ୍ରଧାନମନ୍ତ୍ରୀ ମୋଦିଙ୍କ ସଙ୍ଗରେ ବା ବାବା ରାମଦେବଙ୍କ ସହିତ ଯୋଗ କରିଥିବା ହଜାର ହଜାର ଲୋକଙ୍କ ଭିତରୁ  ଯୋଗପରେ କେହି ବି ନିଶା ସେବନ କରିନଥିବେ କି ? ମଦ୍ୟପାନ, ମାଂସଭକ୍ଷଣ କରନିଥିବେ କି ?? କେହି ନାରୀସଙ୍ଗ କରିନଥିବେ କି?
ଯୋଗର ପ୍ରଥମ ପ୍ରସ୍ତୁତି ହେଉଛି ତ୍ୟାଗ  । ଶିବଙ୍କୁ ହିଁ ପ୍ରଥମ ଯୋଗୀ ଭାବରେ ଗ୍ରହଣ କରାଯାଇଛି  । ଶିବ ହେଉଛନ୍ତି ଆଦି ଯୋଗୀ  । କଥିତ ଅଛି ଯେ, ବହୁ ହଜାର ବର୍ଷ ପୂର୍ବେ ହିମାଳୟର କାନ୍ତି ସରୋବରରେ  ଆଦିଯୋଗୀ ପୁରୁଷ ଶିବ ନିଜ କମଣ୍ଡଳରୁ ଯୋଗ ଜ୍ଞାନ ସପ୍ତଋଷିଙ୍କୁ ଅର୍ପଣ କରିଥିଲେ  । ଆଉ ମହାଦେବ ଶଙ୍କର ହେଉଛନ୍ତି ତ୍ୟାଗର ପ୍ରତୀକ, ବୈରାଗ୍ୟର ପ୍ରତୀକ  । ଆଜିର ଯୋଗଗୁରୁମାନେ କେତେ ପରିମାଣରେ ତ୍ୟାଗୀ ଓ ବିତ୍ତପ୍ରତି ନିସ୍ଫୃହ ?? ଯୋଗ ଆଇକନ ବାବା ରାମଦେବ ହେଉଛନ୍ତି  ହଜାର ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ  । ଯୋଗକେନ୍ଦ୍ର ବସାଇବା ସହିତ ଆୟୁର୍ବେଦ ଔଷଧ ଓ ଏଫଏମସିଜି କାରବାର କରୁଛନ୍ତି  ।  ଇଏ କ’ଣ ଜଣେ ଯୋଗଗୁରୁଙ୍କ ଲକ୍ଷଣ ? ସେହିପରି ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କରଙ୍କ ଭାରତ ଓ ବିଶ୍ବର ବିଭିନ୍ନ ଦେଶରେ ଯୋଗ କେନ୍ଦ୍ର ରହିଛି  । ଆୟୁର୍ବେଦ ଔଷଧ ଜରିଆରେ ମଧ୍ୟ ସେ ଅର୍ଥ ଉପାର୍ଜନ କରୁଛନ୍ତି  । କଲେଜ, ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଜରିଆରେ ମଧ୍ୟ ଆୟ କରୁଛନ୍ତି  ।  ଏମାନେ ନିଜକୁ ଯୋଗଗୁରୁ କହିବାର ଅଧିକାର ରଖନ୍ତି କି??  ଆହୁରି କେତେକ ଯୋଗଗୁରୁ ଅଛନ୍ତି ଯେପରି ଭରତ ଠାକୁର, ବିକ୍ରମ ଚୌଧୁରୀ, ଯୋଗୀ ବାସୁଦେବ ପ୍ରଭୃତି ଯେଉଁମାନଙ୍କର ସମ୍ପତ୍ତିର ପରିମାଣ ଶହ ଶହ କୋଟି ଟଙ୍କା  । ଏମାନେ  କି ପ୍ରକାର ଯୋଗଗୁରୁ ?
ମହର୍ଷି ପତଞ୍ଜଳି ଯୋଗକୁ ଏକ କ୍ରମୋନ୍ନତ ଶାସ୍ତ୍ରୀୟ ବିଧାନ ଭାବରେ ଶିକ୍ଷା ଦେଇଯାଇଥିଲେ  ।  ବିଭିନ୍ନ ଦର୍ଶନ ଓ ଧର୍ମଶାସ୍ତ୍ରର ଗୁରୁଶିଷ୍ୟ ପରମ୍ପରାରେ ଯୋଗର ବିଭିନ୍ନ ପ୍ରକାର ଅଭ୍ୟାସ ତଥା ଜ୍ଞାନଯୋଗ, ଭକ୍ତିଯୋଗ, କର୍ମଯୋଗ, ଧ୍ୟାନଯୋଗ, ପତଞ୍ଜଳି ଯୋଗ, କୁଣ୍ଡଳିନୀ ଯୋଗ, ହଠଯୋଗ, ମନ୍ତ୍ରଯୋଗ, ଲୟ ଯୋଗ ସହ ବୌଦ୍ଧ, ଜୈନ ଓ ରାଜଯୋଗାଦିର ବର୍ଣ୍ଣନା ରହିଛି  । ତେଣୁ କିଛିଟା ଶାରୀରିକ ବ୍ୟାୟାମ, ଆସନ ଓ ଶ୍ବାସପ୍ରଶ୍ବାସର ନିୟନ୍ତ୍ରଣ (ସଂପୂର୍ଣ୍ଣ ପ୍ରାଣାୟାମ ନୁହେଁ)କୁ ଯୋଗକହି  ଯୋଗର ଅପମାନ କରା ନଯାଉ  । ଯୋଗକୁ କେବେବି ପ୍ରଚାର ଅଭିମୁଖି କରାନଯାଉ  ।
  ଯୋଗ ଅଭ୍ୟାସ ଦ୍ବାରା ସିଦ୍ଧିଲାଭ ପାଇଁ ସାଧନାର କେତେକ ନିଷ୍ଠା ଓ ନିୟମମାନିବାକୁ ପଡେ ଯଥା : ଯମ, ନିୟମ, ଆସନ, ପ୍ରାଣାୟମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ବନ୍ଧ ଓ ମୁଦ୍ରା, ସତକର୍ମ, ଯୁକ୍ତାହାର, ଯୁକ୍ତ  କର୍ମ, ମନ୍ତ୍ର ଜପ ଇତ୍ୟାଦି  । ଯୋଗର ବଜାରୀକରଣ କରିଥିବା ଉପରଲିଖିତ ଯୋଗଗୁରୁମାନେ ଏହି ପ୍ରକ୍ରିୟାରେ କେତେ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି ବା ଦେବାର ଲକ୍ଷ୍ୟ ରଖିଛନ୍ତି ??  ଏସବୁ ସତ୍ତ୍ବେ ବି ଯୋଗଦିବସ ପାଳନ ନିଶ୍ଚିତ ସ୍ବାଗତଯୋଗ୍ୟ  ।  ଯୋଗ ଚିକିତ୍ସା ପ୍ରଣାଳୀ ଅବଲମ୍ବନ କରୁଥିବା ଭୋଗୀମାନେ ଯୋଗର ପଦ୍ଧତି ଅବଲମ୍ବନ ସହିତ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିବା ଆବଶ୍ୟକ  । ଜୀବନକୁ ସରସସୁନ୍ଦର କରି ଦୀର୍ଘାୟୁ ପ୍ରାପ୍ତ କରିବାର ପ୍ରଥମ ସୋପାନ ଯୋଗ ନୁହେଁ, ଭୋଗବାଦର ପରିତ୍ୟାଗ  । ତା’ପରେ ଯାଇ ଆସନ, ଯୋଗଚିକିତ୍ସା, ପ୍ରାଣାୟାମ ଯାହାବି କରାଯିବ ତାହାର ସୁଫଳ ମଣିଷକୁ ମିଳିବ  ।

Leave a Reply

Your email address will not be published. Required fields are marked *