ଆକ୍ରମଣ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟକୁ ଭେଟିବେ ମାଲିୱାଲ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସହଯୋଗୀ ବିଭବ କୁମାରଙ୍କ ଆକ୍ରମଣ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ ଅନେକ ନେତାଙ୍କୁ ସେ ଏହି ଚିଠି ଲେଖିଛନ୍ତି।
ଆପ୍‌ ରାଜ୍ୟସଭା ସାଂସଦ ମାଲିୱାଲ କହିଛନ୍ତି ଯେ ସେ ୯ ବର୍ଷ ଧରି କାମ କରୁଛନ୍ତି ଏବଂ ଦିଲ୍ଲୀ ମହିଳା କମିଶନରେ ୧.୭ ଲକ୍ଷରୁ ଅଧିକ ମାମଲାର ଶୁଣାଣି କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଉପସ୍ଥିତିରେ ତାଙ୍କୁ ମାଡ଼ ମରାଯାଇଥିଲା ଏବଂ ଏହି ଘଟଣା ବିରୋଧରେ କହିବା ପାଇଁ ଚରିତ୍ର ସଂହାର କରାଯାଇଥିଲା।
ମାଲିୱାଲ ଲେଖିଛନ୍ତି, ଗତ ୧୮ ବର୍ଷ ଧରି ମୁଁ ଫିଲଡ୍‌ରେ କାମ କରିଛି ଏବଂ ୯ ବର୍ଷ ମଧ୍ୟରେ ମହିଳା କମିଶନରେ ୧.୭ ଲକ୍ଷ ମାମଲାର ଶୁଣାଣି କରିଛି। କାହାକୁ ଭୟ ନକରି କାହା ଆଗରେ ମୁଣ୍ଡ ନୁଆଁଇ ମୁଁ ମହିଳା କମିଶନକୁ ଏକ ଉଚ୍ଚ ସୋପାନରେ ନେଇ ପହଞ୍ଚାଇଥିଲି। କିନ୍ତୁ ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଘରେ ମୋତେ ମାଡ଼ ମରାଯାଇଥିଲା, ତା’ପରେ ମୋ ଚରିତ୍ର ସଂହାର କରାଯାଇଥିଲା। ଆଜି ମୁଁ ଏ ନେଇ ‘ଇଣ୍ଡିଆ’ ମେଣ୍ଟର ବରିଷ୍ଠ ନେତାମାନଙ୍କୁ ଚିଠି ଲେଖିଛି। ମୁଁ ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛି ବୋଲି ସେ କହିଛନ୍ତି।
ଗତ ସପ୍ତାହରେ ତିସ୍‌ ହଜାରୀ କୋର୍ଟ ବିଭବ କୁମାରଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଜୁନ୍‌ ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ମେ ୧୮ ତାରିଖରେ କୁମାରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *