ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ: କ୍ୟାମ୍ପସ୍ ପରିଷ୍କାର ପରିଚ୍ଛନ୍ନତା ପାଇଁ ଡିଇଓଙ୍କୁ ବିଦ୍ୟାଳୟ-ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

Spread the love

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ଶେଷ ହେବାକୁ ଯାଉଛି। ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜୁନ୍ ୧୮ରେ ସ୍କୁଲ ଖୋଲିବ । ଏହାର ସପ୍ତାହେ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ନିର୍ଦ୍ଦେଶ ରାଜ୍ୟ ଶିକ୍ଷାବିଭାଗ ପକ୍ଷରୁ ଦିଆଯାଇଛି। ସମସ୍ତ ଡିଇଓଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ଶ୍ରେଣୀଗୃହ, କ୍ୟାମ୍ପସ ସଫା କରାଯିବା ସହ ଅନାବନା ଗଛ କାଟି ସ୍କୁଲ ପରିସର ପରିଷ୍କାର କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ସ୍କୁଲରେ ମଧ୍ୟାହ୍ନ ଭୋଜନ ସହ ପାନୀୟ ଜଳର ବି ଯାଞ୍ଚ କରିବାକୁ କୁହାଯାଇଛି । ସ୍କୁଲ ଖୋଲିବାର ଗୋଟିଏ ଦିନ ପୂର୍ବରୁ ପାଚିକା ଓ ସହାୟିକାଙ୍କୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭାଗର ବାର୍ଷିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଖୋଲିବାର କାର୍ଯ୍ୟକ୍ରମ ଥିବାବେଳେ ଏହି ଦିନ ବକ୍ରିଇଦ୍ ଥିବାରୁ ଜୁନ୍ ୧୮ରୁ ସ୍କୁଲ୍ ଖୋଲିବ। ବିଦ୍ୟାଳୟ ଖୋଲିବାକୁ ଆଉ ମାତ୍ର ୧୧ଦିନ ଥିବାବେଳେ ଏନେଇ ସମୀକ୍ଷା ସରିଛି। ସ୍କୁଲ ଖୋଲିବାର ସପ୍ତାହେ ପୂର୍ବରୁ ସମସ୍ତ ଶ୍ରେଣୀଗୃହ ଓ କ୍ୟାମ୍ପସକୁ ସଫାସୁତୁରା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ପାଣି ଟାଙ୍କି ସଫା କରିବା, ଶ୍ରେଣୀଗୃହର ଆସବାବପତ୍ର ସଫା କରି ଠିକ୍‌ ଭାବେ ସଜାଇବା ଓ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରିବାକୁ କହିଛନ୍ତି। ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଘର, ଗ୍ୟାସ୍‌ ଚୁଲା ପରି ଆନୁଷଙ୍ଗିକ ପ୍ରସ୍ତୁତି କରିବା, ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରୀ ସହ ଇଣ୍ଟରନେଟ୍‌ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲା ଶିକ୍ଷାଧିକରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟ ଖୋଲିବାର ଦିନକ ପୂର୍ବରୁ ଅର୍ଥାତ୍‌ ୧୭ତାରିଖ ଦିନ ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କ ସମେତ ରୋଷେୟା ଓ ସହାୟକ କାର୍ଯ୍ୟରେ ଯୋଗଦେବେ। ସ୍କୁଲରେ ସ୍ବଚ୍ଛତା ନେଇ ସମସ୍ତ କାର୍ଯ୍ୟ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ୧୭ ତାରିଖରେ ଜିଲ୍ଲା ଏବଂ ରାଜ୍ୟ ଯାଞ୍ଚ ଟିମ୍‌ ସ୍କୁଲ ପରିଦର୍ଶନ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ବିଦ୍ୟାଳୟ ଗୁଡ଼ିକ ଖୋଲିବାକୁ ଥିବାରୁ ଏହା ପୂର୍ବରୁ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଆସନ୍ତା ୧୮ ତାରିଖରେ ସ୍କୁଲ୍‍ ଖୋଲୁଥିବାରୁ ଏହାର ଏକସପ୍ତାହ ପୂର୍ବରୁ ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ, ଉଚ୍ଚପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଶ୍ରେଣୀଗୃହ ଓ ପରିସରକୁ ସଫା କରିବା ସହ ଆସବାବପତ୍ର ଓ ପାଣିଟାଙ୍କି ସଫା କରିବା ଉପରେ ବିଭାଗ ଗୁରୁତ୍ୱ ପ୍ରଦାନ କରିଛି ।
ସେହିଭଳି ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ନିମନ୍ତେ ରୋଷେଇଘର ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟ ସୁନିଶ୍ଚିତ କରିବା ଲାଗି ବିଦ୍ୟାଳୟ ଖୋଲିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‍ ୧୭ତାରିଖରେ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଦ୍ୟାଳୟ ଆସିବା ନେଇ ବାଧ୍ୟତାମୂଳକ କରାଯାଇଛି ।
ତେବେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର। ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *