ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

Spread the love

ଭୁବନେଶ୍ବର: ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲାର ସିସିଟିଭି ଫୁଟେଜ୍ । ରଚାଯାଇଥିଲା ବଡ ଷଡଯନ୍ତ୍ର । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା । ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ ହେଉନାହିଁ ।

ସିସିଟିଭିରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ପ୍ରଥମେ ପ୍ରଶାନ୍ତ ଧାଡିରୁ ବାହାରି ଲୋକସଭା ଇଭିଏମ ନିକଟକୁ ଯାଇ ନିଜର ଭୋଟ ଦାନ କରିବା ପରେ, ପୁଣି ପଛକୁ ଫେରି ପୁଲିଂ ଅଫିସରଙ୍କ ସହ କିଛି କଥା ହୋଇଥିଲେ, ପୁନଶ୍ଚ ସେ ବିଧାନସଭା ଇଭିଏମ୍ ଆଡକୁ ଯାଇଥିଲେ । ମାତ୍ର ଇଭିଏମ୍ ଭାଙ୍ଗିବାର ଶବ୍ଦ ଆସିଲା ବେଳକୁ ଇଭିଏମ ଠାରୁ ପ୍ରଶାନ୍ତ ଦୂରରେ ଥିଲେ ବୋଲି ସ୍ଫଷ୍ଟଭାବେ ଜାଣି ହେଉଛି । ତେବେ ସିସିଟିଭି ଫୁଟେଜରେ ନା ପ୍ରଶାନ୍ତଙ୍କ ଇଭିଏମ ଭାଙ୍ଗିବା ଦୃଶ୍ୟ ରହିଛି ନା ପ୍ରିଜାଇଡିଂ ଅଫିସରଙ୍କ ସହ ଦୁର୍ବ୍ୟବହାର କରିବାର ଦୃଶ୍ୟ । ଯାହା ସଂପୃକ୍ତ ଘଟଣାରେ ପ୍ରଶାନ୍ତଙ୍କ ଗିରଫଦାରୀ ଉପରେ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ଏନେଇ ନିର୍ବାଚନ ଅଧିକାରୀ ଓ ପୋଲିସଙ୍କୁ ପ୍ରଶ୍ନ କରାଯିବା ପରେ ସେମାନେ କୌଣସି ସିସିଟିଭ୍ ଫୁଟେଜ୍ ପାଇନାହାନ୍ତି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ଭୋଟିଂ ସମୟରେ ଇଭିଏମ ଭଙ୍ଗାରୁଜା ମାମଲାକୁ ନେଇ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଥିଲା ପୋଲିସ । ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଇଭିଏମ୍ ଭଙ୍ଗାରୁଜା କରିବା ସହିତ  ପ୍ରିଜାଇଡିଂ ଓ ପୋଲିଂ ଅଫିସରମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବୋଲି ଅଭିଯୋଗ ହୋଇଥିଲା। ଯାହାପରେ ଅଧାରାସ୍ତରୁ ପୋଲିସ ତାଙ୍କୁ ଅଟକାଇ ଗିରଫ କରିଥିଲା ।

ଆଜି ସକାଳେ ଏନେଇ ପ୍ରେସମିଟ କରି ପ୍ରଶାନ୍ତ ଜଗଦ୍ଦେବଙ୍କ ମାମଲାର ସିସିଟିଭି ଭିଡିଓ ହସ୍ତଗତ ହୋଇଛି ବୋଲି କହିଥିଲେ ସାଂସଦ ଅପରାଜିତା ମହାନ୍ତି । ଏଥିସହିତ ସେ ଏହା ମଧ୍ୟ ସ୍ଫଷ୍ଟ କରିଥିଲେ ଯେ ଇଭିଏମ ଭାଙ୍ଗିବା ଘଟଣାରେ ପ୍ରଶାନ୍ତଙ୍କ କୌଣସି ବି ଭୂମିକା ନାହିଁ । ବିନା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଜଣେ ବିଧାୟକଙ୍କୁ  କିପରି ଗିରଫ କରାଗଲା ବୋଲି କହି ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ ଅପରାଜିତା । ତାହାର କିଛି ଘଣ୍ଟା ପରେ ନିଜ ସୋସିଆଲ ମିଡିଆରେ ସିସିଟିଭି ଭିଡିଓଟିକୁ ପୋଷ୍ଟ କରିଥିଲେ ଅପରାଜିତା। ଯାହା ଏବେ ମୋବାଇଲରୁ ମୋବାଇଲ ଘୂରିବାରେ ଲାଗିଛି । ତେବେ ଏହାକୁ ନେଇ କି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *