ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

Spread the love

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅନୁଗୁଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ 24 ଘଣ୍ଟାରେ ତଦନ୍ତ ରିପୋର୍ଟ ଦେବାକୁ କହିବା ପରେ କଣ କାର୍ଯ୍ୟାନୁଷ୍ଠାନ ହେବ ସୁଶାନ୍ତ ବେହେରାଙ୍କ ବିରୋଧରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି।

ସମ୍ବଲପୁର ସଂସଦୀୟକ୍ଷେତ୍ର ଅନ୍ତର୍ଗତ ଅନୁଗୁଳ ଜିଲ୍ଲାର ଏକ ବୁଥରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଜଣେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ମତଦାନ ଚାଲିଥିବା ବେଳେ ବିଜେଡି ବିଧାୟକ କୋଶଳା ପଞ୍ଚାୟତର ସିମିଳିସାହିର ୮୪ ନମ୍ବର ବୁଥ୍ ଭିତରେ କିଛି ଭୋଟରଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ। ସିଦ୍ଧାର୍ଥ ଶଙ୍କର ସାହୁ ନାମକ ଜଣେ ବିଜେପି କର୍ମୀ ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିଥିଲେ। ବିଧାୟକ ବୁଥକୁ ପ୍ରଭାବିତ କରୁଥିବା ନେଇ ସିଦ୍ଧାର୍ଥ ସାହୁ ଅଭିଯୋଗ କରିଛନ୍ତି। ଏଥିରେ କ୍ଷୁବ୍ଧ ହୋଇ ସୁଶାନ୍ତ ବେହେରା ତାଙ୍କ ସମର୍ଥକଙ୍କ ସହ ମିଶି ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ବିଧାୟକ ସୁଶାନ୍ତ ବେହେରାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ଛେଣ୍ଡିପଦା ଘଟଣା ସମ୍ପର୍କରେ ଅତିରିକ୍ତ ଡିଜିପି (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର ଓ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି, ବିଜେଡି ବିଧାୟକଙ୍କ ସହ ଘଟିଥିବା ଘଟଣାର ଭିଡିଓ ଫୁଟେଜ୍ ମିଳିଛି। ଭିଡିଓ ଫୁଟେଜ୍ ଦେଖିବା ପରେ ଏ ସଂକ୍ରାନ୍ତରେ ଏସପିଙ୍କ ସହ କଥା ହୋଇଛୁ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *