ବାତ୍ୟା ରେମାଲ: ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

Spread the love

ଭୁବନେଶ୍ୱର: ବାତ୍ୟା ରେମାଲ ପ୍ରଭାବରେ ୪ ଜିଲ୍ଲାରେ ବର୍ଷା ସହିତ ପବନ ସମ୍ଭାବନା ରହିଛି। ତେଣୁ ସଜାଗ ହୋଇଛନ୍ତି ଏସଆରସି। ସମ୍ଭାବ୍ୟ ବର୍ଷା, ପବନକୁ ଦେଖି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଏହି ଚାରି ଜିଲ୍ଲା ହେଲେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଂଜ। ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସଜାଗ ରହିବାକୁ ଏସଆରସି କହିଛନ୍ତି।

ବଡ଼ ଆଶ୍ୱସ୍ତିର ବିଷୟ ହେଲା, ଏହି ସାମୁଦ୍ରିକ ଝଡ଼ ରେମାଲର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଇଏମଡିର ଆଞ୍ଚଳିକ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଭଳି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୨୬ ତାରିଖ ସକାଳେ ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଛୁଇଁବା ସହ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମଡି କହିଛି। ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ପରେ ଏହା ପର୍ଯ୍ୟାୟ କ୍ରମେ ହ୍ରାସ ପାଇବ।

ଶନିବାର ଦିନ ଏହି ଝଡ଼ ଗଭୀର ଅବପାତରେ ପରିଣତ ହେବ ଏବଂ ୨୬ ତାରିଖରେ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି। କୋଲକାତା, ହାୱଡ଼ା, ନଦିଆ, ଝାରଗ୍ରାମ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା ଓ ପୂର୍ବ ମେଦିନୀପୁର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆଇଏମଡ଼ି ତା’ର ସଦ୍ୟତମ ବୁଲେଟିନରେ କହିଛି ଯେ ଶୁକ୍ରବାର ଭୋର ସାଢ଼େ ୫ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗକୁ ଗତି କରି ଶନିବାର ସକାଳ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗକୁ ଗତି କରି ୨୫ ସନ୍ଧ୍ୟା ବେଳକୁ ଭୟଙ୍କର ବାତ୍ୟାରେ ପରିଣତ ହେବ। ପାଖାପାଖି ଉତ୍ତର ଦିଗକୁ ଗତି କରୁଥିବା ଏହି ବିମାନଟି ୨୬ ତାରିଖ ମଧ୍ୟରାତ୍ରିରେ ସାଗର ଦ୍ୱୀପ ଓ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *