ରବିବାର ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ

Spread the love

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏକ ସାମୁଦ୍ରିକ ବାତ୍ୟା ‘ରେମାଲ’ରେ ରୂପାନ୍ତରିତ ହୋଇ ରବିବାର (୨୬ ମେ’) ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର କହିଛି।

ଚଳିତ ପ୍ରାକ୍‌ ମୌସୁମୀ ଋତୁରେ ବଙ୍ଗୋପସାଗରରେ ଏହା ପ୍ରଥମ ସାମୁଦ୍ରିକ ବାତ୍ୟା ଏବଂ ଭାରତ ମହାସାଗର ଅଞ୍ଚଳରେ ବାତ୍ୟାର ନାମକରଣ ପ୍ରଣାଳୀ ଅନୁଯାୟୀ ଏହାର ନାମ ରେମାଲ ରଖାଯିବ।

ଶନିବାର ସକାଳ ସୁଦ୍ଧା ଏହି ସିଷ୍ଟମ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ଶନିବାର ରାତି ସୁଦ୍ଧା ଆହୁରି ଘନୀଭୂତ ହୋଇ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ।

ରବିବାର ମଧ୍ୟରାତ୍ରିରେ ଏହା ସାଗର ଦ୍ୱୀପ ଓ ଖେପୁପଡ଼ା ମଧ୍ୟରେ ବାଂଲାଦେଶ ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି।

ଏହାର ପ୍ରଭାବରେ ରବିବାର ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିପାରେ। ଆସନ୍ତା ୨୬-୨୭ ତାରିଖରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି। ୨୭-୨୮ ତାରିଖରେ ଉତ୍ତର-ପୂର୍ବ ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *