ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ
ଭୁବନେଶ୍ବର: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ। ଏଠି ମୋଟ ଭୋଟର ସଂଖ୍ୟା ୭୯ଲକ୍ଷ ୬୯ହଜାର ୮୮୭। ଏଥିମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର। ପୁରୁଷ ଭୋଟର ୪୦ ଲକ୍ଷ ୩୩ ହଜାର ୯୯୨ ଏବଂ ତୃତୀୟ ଲିଙ୍ଗ ଭୋଟର ୮୫୧। ଏହି ସ୍ଥାନରେ ୯୧୬୨ଟି ମତଦାନ କେନ୍ଦ୍ର ରହିବ। ୧୦୪୧ଟି ବୁଥ ମହିଳା ପୋଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୨୫ଟି ବୁଥ ପିଡବ୍ଲୁଡି କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ। ୧୫୪୧ ଆଦର୍ଶ ବୁଥ ହେବ। ଏଥିମଧ୍ୟରୁ ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି। ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ। ଲାଇଭ ଷ୍ଟ୍ରିମିଙ୍ଗ ୬୦ ପ୍ରତିଶତ ବୁଥରେ ହେବ।
ଖଲ୍ଲିକୋଟି ହିଂସା ଘଟଣାରେ ମାମଲା ପଞ୍ଜିକରଣ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଭାରତରନିର୍ବାଚନ କମିସନ୍ ଡ଼ିଜିପିଙ୍କୁ ରିପୋର୍ଟ ତଲବ କରିଥିଲେ। ଗତକାଲି ଡ଼ିଜିପି ରିପୋର୍ଟ ଦାଖଲ କରି ସାରିଛନ୍ତି। ଭୋଟ ପାଇଁ ଅତିରିକ୍ତ ଡ଼ିଜି ରାଙ୍କର ଅଫିସରଙ୍କୁ ନିଯୁକ୍ତି କରାଯାଇଛି।