ଭିଭିପିଏଟି ଆବେଦନ ଖାରଜ ନେଇ ମୋଦୀଙ୍କ ବିରୋଧୀଙ୍କୁ ଶକ୍ତ ଚାପୁଡ଼ା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲା କଂଗ୍ରେସ
ନୂଆଦିଲ୍ଳୀ: ଗତକାଲି ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)କୁ ନେଇ ହୋଇଥିବା ଆବେଦନକୁ ଶୁକ୍ରବାର ଖାରଜ କରି ଦେଇଛନ୍ତି ସୁପ୍ରିମ୍କୋର୍ଟ। ଏହା ସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରି ଦେଇଛନ୍ତି ଅଦାଲତ। ଏହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ ଏହାକୁ ନେଇ କହିଛନ୍ତି ଯେ ବିରୋଧୀ ଦେଶକୁ କ୍ଷମା ମାଗିବା ଉଚିତ୍। ବିହାରର ଆରାରିଆରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ମନ୍ତବ୍ୟ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଆମର ଗଣତନ୍ତ୍ର ପାଇଁ ଶୁଭ ଦିନ। ସୁପ୍ରିମକୋର୍ଟ ବିରୋଧୀଦଳଙ୍କ ମୁହଁରେ କଡ଼ା ଚାପୁଡ଼ା ମାରିଛନ୍ତି।’’
ମୋଦୀଙ୍କ ଏପରି ବୟାନ ଉପରେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନ ବଣ୍ଡ ମାମଲା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି। ସୋସିଆଲ୍ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ୍ କରି ସେ ଲେଖିଛନ୍ତି, ‘‘କିଛି ସପ୍ତାହ ପୂର୍ବରୁ ସୁପ୍ରିମକୋର୍ଟ ଦୁର୍ନୀତିଗ୍ରସ୍ତ ନିର୍ବାଚନ ବଣ୍ଡ ଯୋଜନାକୁ କେବଳ ବେଆଇନ ନୁହେଁ, ଅସମ୍ବିଧାନିକ ବୋଲି ଘୋଷଣା କରି ପ୍ରଧାନମନ୍ତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।’’
ଗତକାଲି ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେଉଁଠାରେ ବିଶ୍ବ ଆମର ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କରୁଛି, ବିରୋଧୀ ସେମାନଙ୍କ ବ୍ୟକ୍ତିଗତ ଲାଭ ପାଇଁ ତାହାକୁ ବଦନାମ କରୁଛନ୍ତି।