ମାଲକାନଗିରିରେ ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୦ରୁ ଊର୍ଦ୍ଧ୍ବ ତୁଙ୍ଗନେତା

Spread the love

ମାଲକାନଗିରି: ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଲକ୍ଷ୍ମୀପ୍ରିୟାକୁ ଟିକଟ ଦେବା ପରେ ଇସ୍ତଫାର ସୁଅ ଛୁଟୁଥିଲା। ମାଥିଲି ବ୍ଲକ ଅଧ୍ୟକ୍ଷ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ସମେତ ଏହି ଦୁଇ ବ୍ଲକର ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ମାଥିଲିର ବ୍ରାହ୍ମଣଗୁଡା ଠାରେ ବିଜେପି ତରଫରୁ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି, କଂଗ୍ରେସର ଏକ ହଜାରରୁ ଉର୍ଦ୍ଧ୍ବ କର୍ମୀ ଆଜି ବେଜିପିରେ ସାମିଲ ହୋଇଥିଲା, ଯାହାକି ଏକ ରେକର୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଜେପିର ଜିଲ୍ଲା ସଭାପତି ନିମାଇଁ ପାଲଙ୍କ ନେତୃତ୍ବରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ମାଥିଲି ବ୍ଲକ ସଭାପତି ମହେଶ ବାକା, ଖଇରପୁଟ ବ୍ଲକ ସଭାପତି ବିଘ୍ନ କିରସାନି, ମାଥିଲି ଉପାଧ୍ୟକ୍ଷା ଦେବକୀ ଦଳେଇ, ଖଇରପୁଟ ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲି ସମେତ ସରପଞ୍ଚ ପ୍ରମିଳା ଗୁଣ୍ଠା, ଦଇମତି ଗୋଲପେଦା, ମଙ୍ଗଳା ଶିଶା, ମୁକ୍ତା ହନ୍ତାଳ, ସଂଜୀବ କୁମାର ପଣ୍ଡା, ସ୍ବରାଜ ପଣ୍ଡା, ସଦାଶିବ କିରସାନି, ମୁକୁନ୍ଦ ମାଝି, ବଳାମ କିରସାନି, ଗଦରି ବଡନାୟକ ସମେତ ବହୁ ଲୋକ ପ୍ରତିନିଧି ଆଜି ପଦ୍ମ ଧରିଥିଲେ। ମିଶ୍ରଣ ପର୍ବରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ସମେତ ପଦ୍ମ ଧରୁଥିବା ବିଭିନ୍ନ ପାର୍ଟିର କର୍ମୀ ମଧ୍ୟ ଉପସ୍ଥିତ ରହି ଶକ୍ତି ପ୍ରଦର୍ଶନ କରିଥିଲେ। ଏଥର ଚିତ୍ରକୋଣ୍ଡା ବିଜେପି ହାତରେ ବୋଲି ମଞ୍ଚରେ ନେତାମାନେ ଦୃଢକ୍ତି ପ୍ରକାଶ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶାଙ୍କୁ ପ୍ରାର୍ଥୀ କରିଥିବାରୁ ଅଂଚଳବାସୀ ବିଜେପିକୁ ଧନ୍ୟବାଦ ଦେଇଥିଲେ। ଲକ୍ଷ୍ମୀପ୍ରିୟା ଏବଂ ଡମ୍ବରୁ ଶିଶାଙ୍କ ମଧ୍ୟରେ ସିଧା ଟକ୍କର ହେବ ବୋଲି ଆଲୋଚନା ହେଉଥିଲା। ଗତଥର କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଏଥର କିନ୍ତୁ ବିଜୟ ଲାଭ କରିବ ବୋଲି ଆଶା ପ୍ରକଟ କରିଛି।ବିଜେଡିରେ ଟିକଟ ବଣ୍ଟନକୁ ନେଇ ଲାଗିଥିବା ଦ୍ବନ୍ଦ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି।

ଅନ୍ୟଦିଗରେ ବିଜେଡି କିନ୍ତୁ କୌଣସି ଫରକ ପଡିବ ନାହିଁ ବୋଲି ସଫା ସଫା କହିଛି। ଚିତ୍ରକୋଣ୍ଡା ବିଜେଡିର ଗଡ଼ ରହିଛି ଏବଂ ରହିବ ବୋଲି ଯୁକ୍ତି ବାଢିଛି। ତେବେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି। ସେ ଦଳ ଛାଡିବେ ନା ଦଳରେ ରହି ଲକ୍ଷ୍ମୀପ୍ରିୟାଙ୍କୁ ଜିତାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିବେ ଆଗାମୀ ଦିନରେ ଜଣାପଡିବ ବୋଲି କୁହାଯାଇଛି। ଆଜି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ବିଧାୟକ ପ୍ରାର୍ଥୀ ଡମ୍ବରୁ ଶିଶା, ଅକ୍ଷୟ ବିଶ୍ବାଳ, ରାଜ୍ୟ ସାଧାରଣ ସଂପାଦକ ପୂର୍ଣ୍ଣିମା କେରକେଟା, ପ୍ରଭାରୀ ନବ ଘନ ଲୋକେଇ, ଅଶୋକ ପରିଡା, ଡଂଗା ଶିଶା, କମଲେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *