ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର: ନିର୍ବାଚନରେ ନକ୍ସଲ ଘଟାଇଥାନ୍ତେ ବଡ଼ଧରଣର ଅଘଟଣ

Spread the love

ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଛତିଶଗଡ଼ ପୁଲିସକୁ ବଡ଼ଧରଣର ସଫଳତା ମିଳିଛି। ନକ୍ସଲମାନେ ଏକ ବଡ଼ଧରଣର ଅଘଟଣ ଘଟାଇବା ପାଇଁ କେନ୍ଦ୍ରୀୟ କମିଟି ସହ ଏହି ଅଂଚଳର ଟପ୍ ମାଓନେତା ସାମିଲ ହୋଇ ବୈଠକ କରୁଥିଲେ। କାଂକେର ଜିଲ୍ଲାର ଛୋଟିବେଠିଆ ଥାନା ଅନ୍ତର୍ଗତ ହାପାଟୋଲା ଜଂଗଲରେ ହେଉଥିବା ବୈଠକ ସଂପର୍କରେ କାଂକେର ପୁଲିସକୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଚଢାଉ କରିଥିଲା। ଏହି ଅପରେସନରେ ୨୯ ମାଓବାଦୀଙ୍କ ମୃତଦେହ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମୃତଦେହ ବ୍ୟବଛେଦ ପରେ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଏହି ଏନକାଉଣ୍ଟର ଛତିଶଗଡ଼ର ସବୁଠୁ ବଡ଼ ଏନକାଉଣ୍ଟର ବୋଲି ପୁଲିସ କହିଛି। ଆଗାମୀ ଦିନରେ ଏଭଳି ମାଓ ଦମନ ଜାରି ରହିବ ବୋଲି ବସ୍ତର ଆଇଜି ସୁନ୍ଦରରାଜ ପି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଆଇଜି କହିଛନ୍ତି, ଏହା ଛତିଶଗଡର ସବୁଠାରୁ ବଡ଼ ଏନକାଉଣ୍ଟର ହୋଇଥିବା ବେଳେ ଦେଶରେ ତୃତୀୟ ମୁଖ୍ୟ ବଡ଼ ଏନକାଉଣ୍ଟର। ଏହି ଘଟଣା ପରେ ପ୍ରତାପପୁର ମାଓ ସଂଗଠନ ଭାଙ୍ଗି ଯାଇଥିବା ବେଳେ ଆଗାମୀ ଦିନରେଏହି ଅଂଚଳରୁ ମାଓବାଦୀଙ୍କ ନିପାତ ପାଇଁ ଏଭଳି ଅପରେସନ ଜାରି ରହିବ। ଏନକାଉଣ୍ଟର ପରେ ତିନି ଗୁରୁତର ଯବାନ ରାୟପୁରରେ ଚିକିତ୍ସିତ ହେଉଛନ୍ତି। ତାଂକର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଏହି ଅପରେସନକୁ ନେତୃତ୍ବ ନେଇଥିଲେ ଛତିଶଗଡର ଟପ୍ ଏନକାଉଣ୍ଟର ସ୍ପେଶାଲିଷ୍ଟ ପୁଲିସ ଇନସପେକ୍ଟର ଲକ୍ଷ୍ମଣ କେବଟ। ଗତକାଲି ସକାଳୁ ବିଏସଏଫର ଦୁଇ ପ୍ଲାଟୁନ ଓ ଚାରୋଟି ଡିଆରଜି ଟିମ ଏହି ଅପରେସନକୁ ଲଞ୍ଚ କରିଥିଲେ। ଦିନ ୧୨ଟା ସମୟରେ ମାଓବାଦୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଗୁଳିବିନିମୟ ଚାରିଘଣ୍ଟା ଧରି ଚାଲିଥିଲା। ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ।

Leave a Reply

Your email address will not be published. Required fields are marked *