ତେଲେଙ୍ଗାନା ଫୋନ୍‌ ଟ୍ୟାପିଂ ମାମଲା: ଅଭିଯୁକ୍ତ ନମ୍ବର ୧ ହେଲେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

Spread the love

ହାଇଦ୍ରାବାଦ: ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍‌ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ପୂର୍ବ ବିଆରଏସ୍‌ ସରକାର ସମୟରେ ବିରୋଧୀ ନେତାଙ୍କ ଫୋନ୍‌କୁ ବେଆଇନ ଭାବେ ଟ୍ୟାପ୍‌ କରି ସଂଗ୍ରହ କରିବାରେ ମୁଖ୍ୟ ଥିଲେ ଶ୍ରୀ ରାଓ। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ଶ୍ରୀ ରାଓଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି।
ଏହି ମାମଲାରେ ହାଇଦ୍ରାବାଦରେ ଥିବା ଶ୍ରୀ ରାଓଙ୍କ ବାସଭବନ ସମେତ ଆଇ ନ୍ୟୁଜ୍‌ ନାମକ ଏକ ତେଲୁଗୁ ଟିଭି ଚ୍ୟାନେଲ୍‌ ଚଳାଉଥିବା ଶ୍ରବଣ ରାଓଙ୍କ ବାସଭବନ ସମେତ ଅନ୍ୟ ପ୍ରାୟ ଏକ ଡଜନ ସ୍ଥାନରେ ଚଢ଼ଉ କରାଯାଇଛି। ସିଟି ଟାସ୍କ ଫୋର୍ସରେ କାର୍ଯ୍ୟରତ ଅନ୍ୟ ଜଣେ ପୁଲିସ କର୍ମଚାରୀ ରାଧା କିଶନ ରାଓଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ଏବଂ ତାଙ୍କ ନାଁରେ ମଧ୍ୟ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଏହି ମାମଲାରେ ତେଲେଙ୍ଗାନା ପୁଲିସର ଅନ୍ୟ କେତେକ ଅଧିକାରୀଙ୍କୁ ପଚରାଉଚରା କରାଯାଉଛି।
ପୂର୍ବରୁ ଏହି ମାମଲାରେ ଅତିରିକ୍ତ ଏସପି ଭୁଜଙ୍ଗା ରାଓ ଓ ଥିରୁପାଥନ୍ନା ଏବଂ ଡେପୁଟି ଏସପି ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ଗତ ସପ୍ତାହରେ ଗିରଫ ହୋଇଥିବା ଭୁଜଙ୍ଗା ରାଓ ଏବଂ ଥିରୁପାଥନ୍ନା ବେଆଇନ ଭାବେ ବେସରକାରୀ ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ପ୍ରମାଣ ନଷ୍ଟ କରିଥିବା ସ୍ୱୀକାର କରିଛନ୍ତି।
ଚଳିତ ମାସ ପ୍ରାରମ୍ଭରେ ପ୍ରଣୀତ ରାଓଙ୍କୁ ଗିରଫ କରାଯାଇଥିଲା ଏବଂ ଅଜ୍ଞାତ ବ୍ୟକ୍ତିଙ୍କ ପ୍ରୋଫାଇଲ୍‌ ବିକଶିତ କରିବା ଏବଂ ଅନଧିକୃତ ଉପାୟରେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ ଇଲେକ୍ଟ୍ରୋନିକ୍‌ ଗ୍ୟାଜେଟ୍‌ରେ ସଂରକ୍ଷିତ କେତେକ କମ୍ପ୍ୟୁଟର ସିଷ୍ଟମ ଏବଂ ଡାଟା ନଷ୍ଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।
ପ୍ରଭାକର ରାଓଙ୍କ ନିର୍ଦ୍ଦେଶକ୍ରମେ ପ୍ରମାଣ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ୨୦୨୩ ନିର୍ବାଚନରେ କଂଗ୍ରେସ ବିଆରଏସକୁ ପରାସ୍ତ କରିବାର ଗୋଟିଏ ଦିନ ପରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ଅଭିଯୋଗ ହୋଇଛି।
ଯେଉଁମାନଙ୍କ ଡିଭାଇସ୍‌ ଉପରେ ନଜର ରଖାଯାଇଥିଲା ସେମାନଙ୍କ ତାଲିକାରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ବିଜେପି ଓ କଂଗ୍ରେସର ସଦସ୍ୟଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ ର ସଦସ୍ୟ ରହିଛନ୍ତି। ତେଲୁଗୁ ଅଭିନେତା ଏବଂ ବ୍ୟବସାୟୀଙ୍କ ଉପରେ ମଧ୍ୟ ନଜର ରଖାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବ୍ଲାକମେଲ କରାଯାଇଥିଲା ବୋଲି ମଧ୍ୟ ଖବର ଆସିଛି। ସୂତ୍ରରୁ ପ୍ରକାଶ ଯେ ଏକ ଲକ୍ଷରୁ ଅଧିକ ଫୋନ୍‌ କଲ୍‌ ଟ୍ୟାପ୍‌ ହୋଇଛି।

Leave a Reply

Your email address will not be published. Required fields are marked *