ମେଣ୍ଟକୁ ନେଇ ବିଜେଡ଼ିରେ ନିରବଚ୍ଛିନ୍ନ ନୀରବତା ଅବ୍ୟାହତ

Spread the love

ଭୁବନେଶ୍ବର : ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଆଜି ପୁଣିଥରେ ନାଟକୀୟ ମୋଡ଼ ନେଇଛି। ବିଗତ ଏକ ସପ୍ତାହ ଧରି ସମ୍ଭାବ୍ୟ ମେଂଟକୁ ନେଇ ବିଜେଡି ମୁହଁ ଖୋଲୁନଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ବାରମ୍ବାର ବୟାନ ପରିବର୍ତ୍ତନ ଏହି ମେଂଟ ଚର୍ଚ୍ଚାକୁ ଆଶା ଓ ଆଶଙ୍କା ମଧ୍ୟକୁ ଠେଲିଦେଇଛି । ଏସବୁ ମଧ୍ୟରେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ଓ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ବୈଠକ ଡାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ରଣନୀତିକୁ ନେଇ ବିଚାରବିମର୍ଶ କରିଛନ୍ତି । ମାତ୍ର ନେତୃତ୍ୱ ସମ୍ଭାବ୍ୟ ମେଂଟକୁ ନେଇ କୌଣସି ସୂଚନା ଦଳୀୟ ନେତାମାନଙ୍କୁ ଦେଇନଥିବାରୁ ସସପେନ୍ସ ବଜାୟ ରହିଛି।
ସୂଚନା ଅନୁସାରେ, ବିଜେଡି ଆଜି ପୁଣିଥରେ ଏକ ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଥର ନିମନ୍ତେ ଦଳୀୟ ନେତାମାନଙ୍କ ବୈଠକ ଡାକିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନ ଏହି ବୈଠକରେ ଦଳର ନେତାମାନଙ୍କ ସହ ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି । ଦଳର ବିଭିନ୍ନ ଜିଲ୍ଲାରେ ସାଂଗଠନିକ ସ୍ଥିତିକୁ ନେଇ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ସହ ଆଲୋଚନା ହୋଇଛି । ନିର୍ବାଚନୀ ଆଦର୍ଶ ଆଚରଣ ବିଧି ଦିନେଦୁଇଦିନ ମଧ୍ୟରେ ଲାଗୁ ହେବାର ସମ୍ଭାବନା ରହିଛି ବୋଲି ବିଜେଡି ନେତୃତ୍ୱ କହିବା ସହ ନିଜ ନିଜ ଅଂଚଳରେ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦେଇଛନ୍ତି ।
ତେବେ ସମ୍ଭାବ୍ୟ ମେଂଟ ଚର୍ଚ୍ଚାକୁ ନେଇ ବିଜେଡି ନେତୃତ୍ୱ ନିରବ ରହିଥିଲେ । ଏପରିକି ମେଂଟକୁ ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ଦଳୀୟ ନେତାମାନେ ପ୍ରଶ୍ନ କରିଥିଲେ ବି ବିଜେଡି ନେତୃତ୍ୱ ଏହାକୁ ଚତୁରତା ସହ ଏଡ଼ାଇ ଯାଇଥିଲେ । ସମ୍ଭାବ୍ୟ ମେଂଟ ପ୍ରସଙ୍ଗରେ ଦଳର ନେତାମାନଙ୍କୁ ମଧ୍ୟ ବିଜେଡି ନେତୃତ୍ୱ ବିଶ୍ୱାସକୁ ନେଇନାହାନ୍ତି । ଯାହାକି ବିଜେଡି ନେତାମାନଙ୍କ ଦ୍ୱନ୍ଦ୍ୱକୁ ଦୂର କରିବା ପରିବର୍ତ୍ତେ ସେମାନଙ୍କୁ ଆଜିର ବୈଠକରେ ଅଧିକ ପ୍ରହେଳିକା ଭିତରକୁ ଠେଲି ଦିଆଯାଇଥିବା ଜଣାପଡ଼ିଛି । ଅବଶ୍ୟ ମାର୍ଚ୍ଚ ୬ତାରିଖରେ ନବୀନ ନିବାସରେ ହୋଇଥିବା ବୈଠକରେ ମେଂଟ ସମ୍ପର୍କର ସାମାନ୍ୟ ଆଭାସ ଦିଆଯାଇଥିଲା । ମାତ୍ର ଆଜିର ବୈଠକ ସେପରି କୌଣସି ସୂଚନା ସିଧାସଳଖ ଦିଆଯାଇ ନଥିବା ଜଣାପଡ଼ିଛି ।
ତେବେ ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ବୈଠକରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ଦଳର ବରିଷ୍ଠ କର୍ମକର୍ତ୍ତା ଓ ଜିଲ୍ଲା ପର୍ଯ୍ୟବେକ୍ଷକମାନେ ଜିଲ୍ଲାୱାରି ସାଂଗଠନିକ କାର୍ଯ୍ୟକ୍ରମ ଓ ନିର୍ବାଚନୀ ରଣକୌଶଳ ଆଦି ଉପରେ ସବିଶେଷ ରିପୋର୍ଟ ଦେଇଛନ୍ତି । ଦଳୀୟ ନେତାମାନେ ନିଜର ମତାମତ ମଧ୍ୟ ରଖିଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ତେବେ ମେଂଟ ପ୍ରସଙ୍ଗରେ ପ୍ରଶ୍ନକୁ ଶ୍ରୀ ମିଶ୍ର ଏଡ଼ାଇ ଯାଇଥିଲେ ।
ଗତ କିିଛିଦିନ ଧରି ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଥିବାବେଳେ ବିଜେପି ପକ୍ଷରୁ ଆସୁଥିବା ବୟାନ ହିଁ ରାଜ୍ୟରେ ମେଂଟ ଚର୍ଚ୍ଚାକୁ ଅଧିକ ଚର୍ଚ୍ଚାରେ ରଖିଥିଲା । ଆଜି ନାଟକୀୟ ଢଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ବୟାନକୁ ନେଇ ୟୁ-ଟର୍ଣ୍ଣ ମାରିବା ଏବଂ ବିଜେଡି ନେତୃତ୍ୱ ନିଜ ଦଳର ନେତାମାନଙ୍କ ଆଗରେ ମେଂଟ ସମ୍ପର୍କରେ ମୁହଁ ନଖୋଲିବା ହିଁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଂଟ ହେବାର ସମ୍ଭାବନାକୁ ବଢ଼ାଇ ଦେଇଛି ।
ଆଜି ଅପରାହ୍ନ ପ୍ରାୟ ୪ଟା ୪୫ମିନଟରେ ଆରମ୍ଭ ହୋଇଥିବା ବୈଠକରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ଦେବୀପ୍ରସାଦ ମିଶ୍ର, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ପ୍ରଶାନ୍ତ ମୁଦୁଲି, ଟୁକୁନି ସାହୁ , ପ୍ରଦୀପ ଅମାତ, ଦେବୀପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଈଶ୍ୱର ପାଣିଗ୍ରାହୀ,ସୁଧୀର ସାମଲ, ବିଜୟ ନାୟକ, ପ୍ରୀତିରଞ୍ଜନ ଘଡ଼େଇ, ରବୀନ୍ଦ୍ର ଜେନା, ଶାରଦା ନାୟକ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର ଓ ମାନସ ମଙ୍ଗରାଜଙ୍କ ସମେତ ପ୍ରାୟ ୩୦ରୁ ଅଧିକ ନେତା ଉପସ୍ଥିତ ଥିଲେ । ବୈଠକ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ।
ଉଲ୍ଲେଖଯୋଗ୍ୟ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସକାଳେ ଦିଲ୍ଲୀରୁ ଫେରି ଗଣମାଧ୍ୟମକୁ ଦେଇଥିବା ବୟାନରୁ ନାଟକୀୟ ଢଙ୍ଗରେ ଓହରି ଯିବାପରେ ଦୁଇ ଦଳ ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଚର୍ଚ୍ଚା ଅଧିକ ଜୋର ଧରିଛି । ଆଜି ପୂର୍ବାହ୍ନରେ ମନମୋହନ ରାଜ୍ୟରେ ବିଜେପି ଏକାକୀ ଲଢ଼ି ସରକାର ଗଢ଼ିବ ବୋଲି କହିବା ସହ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇବାର ମାତ୍ର ୨ଘଣ୍ଟା ନପୁରୁଣୁ ନିଜର ବୟାନ ବଦଳାଇଥିଲେ । ମେଂଟ ହେଉ ବା ଅନ୍ୟ ଯେକୌଣସି ନିଷ୍ପତ୍ତି ଦଳର ରାଷ୍ଟ୍ରୀୟ ସଭାପତି ଓ ସଂସଦୀୟ ବୋର୍ଡ ନେବ । ରାଷ୍ଟ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଯାହା ରହିବ ତାକୁ ଆମେ ମାନିବୁ । ଖୁବଶୀଘ୍ର ନିଷ୍ପତ୍ତି ଆସିବ ।
ମୁଁ ଯାହା ଶବ୍ଦ କହୁଛି ଗଣମାଧ୍ୟମ ତାକୁ ଚିତ୍ରଣ କରି ଅନ୍ୟ ଅର୍ଥ ବାହାର କରିବା ଅନୁଚିତ୍ । ମିଛ ଖବର ଓ ଗୁଜବ ପରିଷେଣ ହେବା ଉଚିତ୍ ନୁହେଁ । ଭୁଲ୍ ଖବର ଦେଇ ଲୋକଙ୍କୁ ବିଭ୍ରାନ୍ତି କରିବା ଦ୍ୱାରା କର୍ମକର୍ତ୍ତାମାନେ ମାନସିକ ଦ୍ୱନ୍ଦ୍ୱରେ ଅଛନ୍ତି । ୮ଦିନ ଭିତରେ ରାଷ୍ଟ୍ରୀୟ ସଭାପତି କୌଣସି ସଂଖ୍ୟା କହିନାହାନ୍ତି ଓ ମେଂଟ ଶବ୍ଦ ବି ମୁଁ କହିନାହିଁ ବୋଲି କହି ଶ୍ରୀ ସାମଲ ନିଜେ ସକାଳେ ଦେଇଥିବା ବୟାନରୁ ଅପରାହ୍ନରେ ୟୁ-ଟର୍ଣ୍ଣ ମାରିଥିଲେ ।

Leave a Reply

Your email address will not be published. Required fields are marked *