ସୁନା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା
ଭଦ୍ରକ : ଲୁଟ ଲୁଟ ଲୁଟ୍ , ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ ସବୁ ଶୋଇଗଲା ପରେ ଘରେ କଳାକନା ବୁଲାଉଛନ୍ତି । ତେବେ ଆଜି ଭଦ୍ରକ ଜିଲ୍ଲାରେ ଦୁଇ ଦୁଇଟି ସ୍ଥାନରେ ହୋଇଛି ବଡ଼ ଧରଣରୁ ଲୁଟ୍ ।
ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅଧିନସ୍ଥ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମରେ ଘରେ ଶୋଇ ଥିବାବେଳେ ଦୁର୍ବୁତ୍ତମାନେ ଘରେ ପସି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୨୦ ହଜାର ଟଙ୍କା ଲୁଟିନେଇ ଫେରାର ମାରିଛନ୍ତି । ଏହି ଗ୍ରାମର ପିତାମ୍ବର ପ୍ରଧାନ ଓ ତାଙ୍କ ପରିବାର ଲୋକମାନେ ଗତ କାଲି ରାତିରେ ଶୋଇ ଥିବା ବେଳେ ଦୁର୍ବୁତ୍ତ ମାନେ ଘରର ଝରକା କବାଟ ଭାଙ୍ଗି ଘର ଭିତରେ ପସିଥିଲେ । ପରେ ଯେଉଁ ବାକ୍ସରେ ସୁନା ଅଳଙ୍କାର ଓ ଟଙ୍କା ଥିଲା ତାକୁ ନେଇ ଛୁ ମାାରିଥିଲେ । ପରେ ଗାଁ ଠାରୁ କିଛି ଦୂରରେ ବିଲ ମଝିରେ ବାକ୍ସ ଭାଙ୍ଗି ସୁନା ଅଳଙ୍କାର ଏବଂ ୨୦ ହଜାର ଟଙ୍କାକୁ ନେଇ ଯାଇ ବାକ୍ସ କୁ ଫୋପାଡ଼ି ଦେଇଥିଲେ । ପିତାମ୍ବର ଏନେଇ ପୋଲିସକୁ ସୂଚନା ଦେବା ପରେ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ରେ ଗାଁ ରେ କେହି ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ସମାନ ଭାବେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନସ୍ଥ ଚୁଡ଼ାକୁଟି ବଜାରରେ ଥିବା ଜଗା କାଳିଆ ସୁନା ଦୋକାନରୁ ଗତ କାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଚୁଡ଼ାକୁଟି ବଜାରରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ।
ଗତକାଲି ରାତିରେ ୪ଜଣ ଦୁର୍ବୁତ୍ତ ପ୍ରଥମେ ସେହି କମ୍ପ୍ଲେକ୍ସରେ ଥିବା ମିଠା ଦୋକାନୀକୁ ଜୀବନରୁ ମାରିଦେବାର ଧମକ ଦେଇ ହାତ ଗୋଡ଼ ବାନ୍ଧି ପକାଇଦେବା ସହିତ ୨୨ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟିନେଇଥିଲେ । ପରେ ସେହି କମ୍ପ୍ଲେକ୍ସରେ ଥିବା ଏକ ସୁନା ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ । ପରେ ଘଟଣାର ଖବର ପାଇ ଉକ୍ତ କମ୍ପ୍ଲେକ୍ସର ମାଲିକ ନରୋତ୍ତମ ପୋଇ ଓ ତାଙ୍କ ଭାଇ ତିନିଜଣ ସେଠାରେ ପହଞ୍ଚି ମିଠା ଦୋକାନୀଙ୍କୁ ଉଦ୍ଧାର କରିବା ସହିତ ଧାମନଗର ପୋଲିସ୍ କୁ ଖବର ଦେଇଥିଲ। ତେବେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇବା ସହିତ ସଇଣ୍ଟଫିକ ଟିମ ଦ୍ଵାରା ଯାଞ୍ଚ ଆରମ୍ଭ କରିଛି । ଅନ୍ୟପକ୍ଷେ ଧାମନଗର ଅଞ୍ଚଳରେ ଦିନକୁ ଦିନ ଲୁଟେରା ମାନଙ୍କର ଆତଙ୍କ ବଢ଼ିବାରେ ଲାଗିଛି । ପୂର୍ବରୁ ପୋଲିସ ପକ୍ଷରୁ ଯେଉଁଭଳି ରାତିରେ ପେଟ୍ରୋଲିଂ କରାଯାଉଥିଲା, ସେଭଳି ଆଉ ହେଉନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।