ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

Spread the love

ଭୁବନେଶ୍ବର: ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ । ଏକାମ୍ରକ୍ଷେତ୍ର ଶିବ ପଞ୍ଚାକ୍ଷରୀ ମନ୍ତ୍ରରେ କଂପିଛି। ମନ୍ଦିର ବେଢ଼ାରେ ଓ ବାହାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଜାଳିଛନ୍ତି। ଓଁ ନମଃ ଶିବାୟ…, ହରହର ମହାଦେବ…, ଜୟ ଶିବଶମ୍ଭୁ… ଉଚ୍ଚାରଣ କରି ମହାଦୀପ ଉଠିବାକୁ ସମସ୍ତେ ଏକଲୟରେ ଅନେଇ ରହିଥିଲେ। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ସାଙ୍ଗକୁ ହରହର ମହାଦେବ ଡାକରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ଉଠୁଥିଲା। ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟା ୧୦ରେ ଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ମହାଦୀପକୁ ଦର୍ଶନ କରିଛନ୍ତି। ଏଥି ସହିତ ବ୍ରତଧାରୀମାନେ ଜାଗର ବ୍ରତ ଭାଙ୍ଗିଛନ୍ତି।

ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତମାନେ ଧାଡ଼ିରେ ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କୁ ଆଡ଼କାଠରୁ ଦର୍ଶନ କରିଥିଲେ। ସକାଳ ୭ଟା ବେଳକୁ ମନ୍ଦିରର ସିଂହଦ୍ୱାରଠାରୁ ବ୍ୟାରିକେଡ୍‌ ପୂର୍ଣ୍ଣ ହୋଇ ନୂଆ ଲିଙ୍ଗରାଜ ମାର୍କେଟ୍‌ ଆଡ଼କୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଧାଡ଼ି ଲମ୍ୱି ଯାଇଥିଲା। ଦିନ ୧୧ଟାରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ ନୀତି ପୂଜା କରାଯାଉଥିବା ବେଳେ ଦର୍ଶନ ଚାଲୁ ରହିଥିଲା। ତେବେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଖରାରେ ବହୁ ସମୟ ଧରି ଧାଡ଼ିରେ ଠିଆ ହୋଇ ପୂଜାର୍ଚ୍ଚନା କରିବା ପାଇଁ ଅପେଷା କରିଥିଲେ। ମନ୍ଦିରରେ ପହଡ଼ ପଡ଼ି ନୀତି କାର୍ଯ୍ୟ କରାଯାଉଥିବାରୁ ମଧ୍ୟାହ୍ନରେ ସାମାନ୍ୟ ଗହଳି ଟିକେ କମିଯାଇଥିଲା।

ଅପରାହ୍‌ଣରେ ସାହାଣମେଲା ଖୋଲିବା ପରେ ହଜାର ହଜାର ଭକ୍ତ ପୁଣି ଧାଡ଼ି ବାନ୍ଧି ଆଡ଼କାଠରୁ ଦର୍ଶନ କରିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ସହ ମନ୍ଦିରରେ ଦୀପଦାନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ବେଢ଼ାକୁ ପ୍ରବେଶ କରିଥିଲେ। ଅନେକ ଭକ୍ତ ମେଘନାଦ ପାଚେରି, ମନ୍ଦିର ସମ୍ମୁଖ ଖାଲିସ୍ଥାନ, ଦେବୀ ପାଦହରା ପୁଷ୍କରିଣୀ ନିକଟ, ନୂଆ ଲିଙ୍ଗରାଜ ମାର୍କେଟ୍‌, ଲିଙ୍ଗରାଜ ହାଟ, ବିଏମ୍‌ସି ଡାକ୍ତରଖାନା ଛାତ, ବଡ଼ମଠ, ଗଙ୍ଗାଯମୁନା ପଡ଼ିଆ, ବ୍ୟବସାୟ ପ୍ରତିଷ୍ଠାନ ଓ ବିଭିନ୍ନ ଘରର ଛାତ ଉପରେ ମହାଦୀପ ଉଠିବାକୁ ଅପେକ୍ଷା କରି ରହିଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ କରୁଣା କାମନା କରି ଦୀପଜାଳି ମହାଦୀପ ଉଠିବା ସମୟକୁ ଅନାଇ ବସିଥିଲେ।

Leave a Reply

Your email address will not be published. Required fields are marked *