ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଆଇଆଇଟି ମଧ୍ୟରେ ବୁଝାମଣା

Spread the love

ଭୁବନେଶ୍ୱର: ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଗୁଣାତ୍ମକ ଓ ଅନ୍ତର୍ଭୁକ୍ତି ଶିକ୍ଷାକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଆଇଆଇଟି-ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ବୈଷୟିକ ଜ୍ଞାନକୌଶଳର ଉପଯୋଗ କ୍ରମେ ବିଶେଷ କରି କମ୍ୟୁଟର, ଟାବ୍‌ଲେଟ୍‌ ଓ ସ୍ମାର୍ଟଫୋନ ଇତ୍ୟାଦି ସାହାଯ୍ୟରେ ଦୃଷ୍ଟିବାଧିତମାନେ ସାଧାରଣ ଲୋକଙ୍କ ଭଳି ଲେଖାପଢ଼ା କରିପାରିଲେଣି।

ତେଣୁ ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନେ ଡିଜିଟାଲ ପୁସ୍ତକ ଏବଂ ଅନ୍‌ଲାଇନ୍‌ ପାଠ୍ୟବସ୍ତୁ ନିଜ ପସନ୍ଦ ମୁତାବକ ଭାଷାରେ ପଢ଼ିଲେଖି ପାରିବେ। ଏପରି ବୁଝାମଣା ଫଳରେ ରାଜ୍ୟରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଉପାୟରେ ବୈଷୟିକ ଜ୍ଞାନକୌଶଳ ସହିତ ଗୁଣାତ୍ମକ ତଥା ଅନ୍ତର୍ଭୁକ୍ତି ଶିକ୍ଷା ସଶକ୍ତ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ବୁଝାମଣାପତ୍ରରେ ଛାତ୍ରଛାତ୍ରୀମାନଙ୍କୁ କୋଡିଂ, ମାଇକ୍ରୋବିଟ୍‌, ଥ୍ରୀ-ଡି ପେଣ୍ଟିଂ, ଗେମସ୍‌ ଓ ଆନିମେସନ୍‌, ମୋବାଇଲ୍‌ ଆପ୍‌, ଯାନ୍ତ୍ରିକ ଶିକ୍ଷଣ, କୃତି୍ରମ ବୁଦ୍ଧିମତ୍ତା ଓ ରୋବୋଟିକ୍ସ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା ପାଇଁ ଉଲ୍ଲେଖ ରହିଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟାବ୍‌ ଓ ସ୍ମାର୍ଟଫୋନ୍‌ ସାଙ୍ଗକୁ ଅନ୍‌ଲାଇନ୍‌
ଶ୍ରେଣୀର ବନ୍ଦୋବସ୍ତ ରହିବ। ଏହା ବ୍ୟତୀତ ବୃତ୍ତି ନିମନ୍ତେ ପରାମର୍ଶ, ସଫଫ ସ୍କିଲ୍‌, କର୍ମଶାଳା, ବ୍ୟକ୍ତିତ୍ୱ ବିକାଶ, ଡିଜିଟାଲ୍‌ ପାଠାଗାର, ଅଡ଼ିଓ ବୁକ୍‌ ବିତରଣ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ। ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ କିବୋର୍ଡ ଡିଭାଇସ୍‌ ଉପଯୋଗ କରାଯିବ । ଏହି ବୁଝାମଣାପତ୍ର ୫ ବର୍ଷ ନିମନ୍ତେ ବଳବତ୍ତର ରହିବ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ କହିବା ଅନୁଯାୟୀ, ବୁଝାମଣାପତ୍ରରେ ଉଲ୍ଲିଖିତ ପ୍ରକଳ୍ପର ରୂପାୟନ ପାଇଁ ନିୟମିତ ତଦାରଖ କରାଯିବ । ଆଇଆଇଟି-ଭୁବନେଶ୍ୱର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚିହ୍ନଟ ହୋଇଥିବା ଆବଶ୍ୟକତା ଅନୁସାରେ ବିଭିନ୍ନ ସହାୟତା ଯୋଗାଇଦେବାରେ ବୈଷୟିକ ପରାମର୍ଶ ଦେବେ। ଅନ୍ତର୍ଭୁକ୍ତି ଶିକ୍ଷା ପାଇଁ ବୃତ୍ତିଗତ ବିକାଶର ବିଭିନ୍ନ ଦିଗଗୁଡ଼ିକୁ ବ୍ୟାପକ କରିବାରେ ଆଇଆଇଟି ଭୁବନେଶ୍ୱର ସାହାଯ୍ୟ କରିବ। ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କ ତାଲିମ ସମେତ ରେକର୍ଡିଂ ଲାବ୍‌ ଓ ଆସେସିବୁଲ୍‌ ଆର୍ଟ ସେଣ୍ଟର ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦିଆଯିବ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଓ ଆଇଆଇଟି-ଭୁବନେଶ୍ୱର ପକ୍ଷରୁ ସ୍ପୋନ୍‌ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟି୍ରଆଲ୍‌ ଟେକ୍‌ନୋଲୋଜି (ଏସ୍‌ଆର୍‌ଆଇସି)ର ଡିନ୍‌ ପ୍ରଫେସର ଦିନକର ପାସ୍‌ଲା ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। କାର୍ଯ୍ୟକ୍ରମରେ ଆଇଆଇଟିଭୁବନେଶ୍ୱରର ପ୍ରତିନିଧି ଏବଂ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *