ବିଲ୍ ଗେଟସ୍‍ଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ

Spread the love

ଭୁବନେଶ୍ୱର: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‍ ଗେଟସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ବିଲ୍‍ ଗେଟସ୍‍ଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ସାମନ୍ତ କହିଥିଲେ, କିସ୍‍ ବିଲ୍‍ ଗେଟସ୍‍ଙ୍କୁ କିସ୍‍ ହ୍ୟୁମାନଟାରିଆନ୍‍ ପୁରସ୍କାର ପ୍ରଦାନ କରି ତାଙ୍କର ଉଲ୍ଲେଖନୀୟ ଅବଦାନକୁ କେବଳ ସମ୍ମାନ ପ୍ରଦାନ କରି ନାହିଁ ବରଂ ଏଥିସହ ଏହି ସ୍ୱୀକୃତିର ସମ୍ମାନ ବୃଦ୍ଧି କରିଛି। ତାଙ୍କର ଏହି ସମ୍ମାନ ଗ୍ରହଣ ବିଶ୍ୱରେ ମାନବିକ କାର୍ଯ୍ୟ କ୍ଷେତ୍ରରେ ଏକ ନୂତନ ମାନଦଣ୍ଡ ସ୍ଥିର କରିବ। ବିଲ୍‍ ଗେଟସ୍‍ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପ୍ରାପକଙ୍କ ତାଲିକାରେ ଯୋଡ଼ିହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଏହି ସମ୍ମାନ ଗ୍ରହଣ କରି ବିଲ୍‍ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଲେ ମୋ କାର୍ଯ୍ୟକୁ କିସ୍‍ ସ୍ୱୀକୃତି ପ୍ରଦାନ କରିଥିବାରୁ ସମାଜସେବା କ୍ଷେତ୍ରରେ ଅଧିକ କାର୍ଯ୍ୟ କରିବା ପାଇଁ ଏହା ପ୍ରେରଣା ଯୋଗାଇବ। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଓ ତ୍ୟାଗକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।

ସମଗ୍ର ବିଶ୍ୱରେ ନିରବଚ୍ଛିନ୍ନ ଭାବେ ନିଷ୍ଠାର ସହ ମାନବିକ କାର୍ଯ୍ୟ କରି ଆସୁଥିବା ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ସ୍ୱୀକୃତି ପ୍ରଦାନ କରିବା ନିମନ୍ତେ କିସ୍‍ ହ୍ୟୁମାନିଟାରିଆନ୍‍ ପୁରସ୍କାର ହେଉଛି କିସ୍‍ର ଶ୍ରେଷ୍ଠ ସମ୍ମାନ। ଶ୍ରୀ ସାମନ୍ତଙ୍କ ଦ୍ୱାରା ୨୦୦୮ ମସିହାରେ ଏହି ସମ୍ମାନ ପ୍ରତିଷ୍ଠା କରାଯାଇଥିଲା। ଏହି ସମ୍ମାନରେ ସମ୍ମାନୀତ ବ୍ୟକ୍ତିବିଶେଷ କିମ୍ବା ସଂଗଠନକୁ ଏକ ପ୍ରଶସ୍ତିପତ୍ର ସହ ଏକ ସ୍ୱର୍ଣ୍ଣ ପ୍ରଲେପିତ ଟ୍ରଫି ପ୍ରଦାନ କରାଯାଇଥାଏ।

Leave a Reply

Your email address will not be published. Required fields are marked *