ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ।  ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି । ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେହିପରି ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି. କେ. ଗୋଏଙ୍କା କହିଲେ ଯେ ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ବ୍ୟାପକ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ କଠିନ ପରିଶ୍ରମ ଯୋଗୁ ଆଜି ଓଡିଶାରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ। ରାଜ୍ୟ ସରକାରଙ୍କ 5T ଉପକ୍ରମ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରି କହିଥିଲେ ଯେ ଏହି ନୀତି ଯୋଗୁ ଆଜି ଓଡିଶାର ସରକାରୀ ସ୍କୁଲ ଗୁଡିକ ପ୍ରାଇଭେଟ ସ୍କୁଲଠାରୁ ଅଧିକ ଭଲ ହୋଇ ପାରିଛି। ଭାରତରେ ସବୁଠାରୁ ଅଧିକ ପୁଞ୍ଜି ଓଡିଶାକୁ ହିଁ ଆସୁଛି। ଓଡିଶାରେ ଶିଳ୍ପ ବିକାଶର ଭିତ୍ତି ବିଷୟରେ ଆଲୋକପାତ କରି ସେ ବିଜୁ ବାବୁଙ୍କ ଉଦ୍ୟମ ସଂପର୍କରେ କହିଥିଲେ। ଓଡିଶାର କପା ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରି ସେ କହିଥିଲେ ଓଡିଶାର ଶିଳ୍ପ ବାତାବରଣକୁ ଆହୁରି ଉନ୍ନତ କରିବା ପାଇଁ ସେ ତାଙ୍କର ଅବଦାନ ରଖିବେ ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ, ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ। ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ ନିର୍ମାଣ କରୁଛି। ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗୃପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *