ବୁଣାକାରଙ୍କ କଲ୍ୟାଣ ପାଇଁ ନୂଆ ଯୋଜନା, ମାସକୁ ପାଇବେ ୨୦୦୦ ଟଙ୍କା ସହାୟତା

Spread the love

ଭୁବନେଶ୍ବର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନାରେ ମିଳିବ ସହାୟତା ରାଶି। ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରଙ୍କୁ ମିଳିବ ଆର୍ଥିକ ସହାୟତା। ସେହିପରି ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ ମହିଳା ଓ ପୁରୁଷ କାରିଗରଙ୍କୁ ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କରିଆସୁଛନ୍ତି। ରାଜ୍ୟରେ ୧ଲକ୍ଷ ୨୫ ହଜାରରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ଦେଢ ଲକ୍ଷରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କର କଲ୍ଯାଣ ନିମନ୍ତେ  ଏହି ନୂତନ ଯୋଜନା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଥିପାଇଁ ଯୋଗ୍ୟତା ହେଲା,  ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକାରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବେ। ସେହିପରି ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବ। ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ। ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ।

ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ। ତେବେ ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଆଧାର ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ ଡିବିଟି ଦ୍ଵାରା ପ୍ରଦାନ କରାଯିବ। ଏ  ନେଇ ବିଭାଗୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଶୀଘ୍ର ଜାରି କରାଯିବ। ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବ୍ରୁଆରି ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ। ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *