ମୋଟା ବରଫର ଚାଦର ତଳେ ହିମାଚଳ ପ୍ରଦେଶ

Spread the love

6

ହିମାଚଳ ପ୍ରଦେଶ: ଦୀର୍ଘ ଦିନର ଅପେକ୍ଷା ପରେ ହିମାଚଳ ପ୍ରଦେଶର ଶିମଲାରେ ତୁଷାରପାତ ଦେଖିବାକୁ ମିଳିଛି । ଶିମଲାର ଉଚ୍ଚସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି । ବରଫର ଏକ ମୋଟା ଚାଦର ତଳେ ଲୁଚି ଯାଇଛି ସେଠାକାର ଘର । ଯାହା ଏକ ମୋଟା ଧଳା ପାହାଡର ଭ୍ରମ ସୃଷ୍ଟି କରୁଛି । ଯାହାକୁ ଦେଖି ପର୍ଯ୍ୟଟକଙ୍କ ଭିତରେ ଅଜସ୍ର ଖୁସି ଖେଳିଯାଇଛି । ହିମାଚଳ ପ୍ରଦେଶର ଶିମଲା ଏବଂ ମନାଲି ବର୍ତ୍ତମାନ ବରଫ ଚାଦରରେ ଆଚ୍ଛାଦିତ । ଏଠାରେ ଏତେ ମାତ୍ରାରେ ତୁଷାରପାତ ଦେଖି ପର୍ଯ୍ୟଟକଙ୍କ ମନରେ ଅଜସ୍ର ଖୁସି ଖେଳିଯାଇଛି । ବିଶେଷକରି ଶିମଲାର ମଣ୍ଡୋଲ ଗାଁରେ ତୁଷାରପାତ ଏହି ଦୃଶ୍ୟ ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରୁଛି ।

ନିକଟରେ ହିମାଚଳ ପ୍ରଦେଶର ୬ ଟି ଜିଲ୍ଲା ପାଇଁ ତୁଷାରପାତ ସତର୍କ ସୂଚନା ଜାରି କରିଥିଲା ପାଣିପାଗ ବିଭାଗ । ଯାହା ସଠିକ୍ ପ୍ରମାଣିତ ହୋଇଛି । ଶିମଲାର ମଣ୍ଡୋଲ ଗାଁରେ ତୁଷାରପାତ ପରେ ସେଠାକାର ସେହି ସୁନ୍ଦର ଦୃଶ୍ୟ ଦେଖିକୁ ଆପଣ ମଧ୍ୟ ବ୍ୟକୁଳ ହୋଇଯିବେ । ଶିମଲାରେ ତୁଷାରପାତର ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଗତ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଶିମଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି। ନାରକଣ୍ଡା, ହାଟୁ ପିକ୍, ମତିୟାନା, ଖଡା ପଥର ଏବଂ ଅନ୍ୟାନ୍ୟ ଉଚ୍ଚ ଉଚ୍ଚ ଅଞ୍ଚଳରେ ତୁଷାରପାତ ହୋଇଛି। ନାରକଣ୍ଡା ସହରରେ ପ୍ରବଳ ତୁଷାରପାତ ହେତୁ ଶିମଲା ରାଜପଥରେ ବରଫର ଏକ ମୋଟା ଚାଦର ବିଛେଇ ହୋଇପଡିଛି ।

ଡ୍ରୋଜର ବ୍ୟବହାର କରି ପ୍ରଶାସନ ରାସ୍ତା କ୍ଲିଅର କରୁଛି । ଗତକାଲି ରାତିରେ ମଧ୍ୟ ପ୍ରବଳ ତୁଷାରପାତ ହୋଇଥିଲା । ଏହାକୁ ଦେଖି ବର୍ତ୍ତମାନ ଶିମଲାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ନେଇ ଆଶା ପ୍ରକାଶ କରାଯାଉଛି । ହୋଟେଲ ଏବଂ ଟୁର୍ ଅପରେଟରମାନେ କହିଛନ୍ତି ଯେ, ବୁକିଂ ପାଇଁ ଅନେକ ଫୋନ୍ କଲ ଆସୁଥିଲା, କିନ୍ତୁ ତୁଷାରପାତ ଅଭାବରୁ ବୁକିଂ ବାତିଲ କରିଦେଉଥିଲେ ପର୍ଯ୍ୟଟକ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨ଦିନ ହିମାଚଳ ପ୍ରଦେଶର ଚାମ୍ବା, କୁଲ୍ଲୁ, ମଣ୍ଡି, ଶିମଲା ସହର ସମେତ ଆଖପାଖ ଅଞ୍ଚଳ ରେ ପ୍ରବଳ ତୁଷାରପାତ ଏବଂ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *