କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ

Spread the love

Teacher_1705587668

ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ ଏତିକି ନୁହେଁ, ଗୋଟିଏ ଆଡମିଟ୍‌ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ବଦଳରେ ପକ୍ଷୀର ଚିତ୍ର ଲାଗିଥିବା ଦେଖିବାକୁ ମିଳିଛି। ଓଡ଼ିଶା ଜୁନିଅର ଟିଚର(ସିବିଟି) ପରୀକ୍ଷା ମେରିଟ୍‌ ଲିଷ୍ଟ ପ୍ରକାଶ ପରେ ଦେଖାଦେଇଛି ତୀବ୍ର ଅସନ୍ତୋଷ।
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ। ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମେରିଟ୍‌ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍‌ ଅଫ୍‌ ତାଲିକା ପ୍ରକାଶ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତା’ସହ ଚୂଡ଼ାନ୍ତ ଉତ୍ତର ଖାତା ନମିଳିବା, ଅଧିକ ନମ୍ବର ରଖିଥିବା ଅନେକ ପିଲା ମେରିଟ୍‌ ଲିଷ୍ଟରେ ନଥିବା ଅଭିଯୋଗ କରି ଅସନ୍ତୋଷ ଝାଡ଼ିଛନ୍ତି ଆଶାୟୀ। ଆଜି ବହୁ ସଂଖ୍ୟାରେ ଅଶାୟୀ କଟଅଫ ଜାଣିବାକୁ RTI ଆବେଦନ କରିବାକୁ ଆସିଛନ୍ତି।
କନିଷ୍ଠ ଶିକ୍ଷକ ଆଶାୟୀମାନେ ଏ ସମ୍ପର୍କରେ ଜାଣିବା ପାଇଁ ଓସେପା ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ବିଫଳ ହୋଇଥିଲା। ପରେ ସେମାନେ ଫାଇଭ-ଟି ଅଧ୍ୟକ୍ଷଙ୍କ ବାସଭବନ ଆଡ଼କୁ ଯିବା ବେଳେ, ଅଧାବାଟରେ ଅଟକାଇଥିଲା କମିଶନରେଟ୍‌ ପୁଲିସ। ଏହାପରେ ସେମାନେ ରାସ୍ତାକଡ଼ରେ ଧାରଣାରେ ବସିଥିଲେ। ଏହାପରେ ଡିସିପିଙ୍କ ସହ ଆଲୋଚନା କରି ଗଣଶିକ୍ଷା ବିଭାଗ ସଚିବଙ୍କ ସହ ସେମାନଙ୍କୁ ଆଲୋଚନା ପାଇଁ ନିଆଯାଇଥିବା ସୂଚନା ମିଳିଛି। ତେବେ ଆନ୍ଦୋଳନକାରୀଙ୍କ ଅଭିଯୋଗ ଓ ସେମାନେ ଦେଖାଇଥିବା ମାହାଲ ମାଣ୍ଡା ନାଁ ଓ ପକ୍ଷୀ ଫଟୋ ଥିବା ଇ-ଆଡମିଟ କାର୍ଡର ସତ୍ୟତା ସଂପର୍କରେ ଓସେପାର ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *