ଷ୍ଟେସନ୍‌ରେ ହଜିଗଲେ ସ୍ୱାମୀ; ଫେରିବା ବାଟକୁ ଅନାଇଛନ୍ତି ସୁଭଦ୍ରା

Spread the love

Subhadra_1704539110

ବାଲେଶ୍ବର : ଗାଁରେ କାମ ମିଳିଲାନି। ତେଣୁ ପରିବାର ପାଇଁ ଦାନା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଉଥିଲେ ସ୍ୱାମୀ-ସ୍ତ୍ରୀ। ହେଲେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହଜିଗଲେ ସ୍ୱାମୀ। ଦୁଇ ଦିନ ରାଜଧାନୀରେ ଖୋଜିବା ପରେ ଖାଲି ହାତରେ ଘରକୁ ଫେରିଲେ ସୁଭଦ୍ରା। ଏବେ ଘର ଦୁଆରରେ ବସି ସ୍ୱାମୀଙ୍କ ଫେରିବା ରାସ୍ତାକୁ ଅନାଇ ବସିଛନ୍ତି। ଏମିତି ଖବର ବାଲେଶ୍ୱର ଜିଲ୍ଲାରୁ ଆସିଛି।
ଭୋଗରାଇ ବ୍ଲକ୍‌ ଶଙ୍ଖାରି ଗାଁର ଗଣେଶ ଜେନା। ପରିବାର କହିଲେ ପତ୍ନୀ ସୁଭଦ୍ରା, ବୁଢ଼ି ମାଆ, ୧୫ ବର୍ଷର ଝିଅ ଓ ୧୦ ବର୍ଷର ପୁଅ। କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପରିବାର। ହେଲେ ପେଟ ପୂରୁନଥିଲା। ଦିନକୁ ଦିନ ପରିବାର ବଢ଼ୁଥିବା ବେଳେ ଗାଁରେ ହାତକୁ କାମ ମିଳୁନଥିଲା। ତେଣୁ ଗଣେଶ ଓ ସୁଭଦ୍ରା ଦାଦନ ଖଟିବାକୁ ଯିବା ପାଇଁ ନିଷ୍ପତ୍ତି ନେଲେ। ନିଜର ଦୁଇ ଛୁଆଙ୍କୁ ବୁଢ଼ି ମାଆଙ୍କ ପାଖରେ ଛାଡ଼ି ଦାଦନ ଖଟିବା ପାଇଁ ତାମିଲନାଡୁ ଯାଉଥିଲେ।
ଗତ ସୋମବାର ଦିନ ସ୍ୱାମୀ ଓ ସ୍ତ୍ରୀ ଜଣେ ଦଲାଲଙ୍କ ସହିତ ଦାଦନ ଖଟିବା ପାଇଁ ଚେନ୍ନାଇ ଯାଉଥିଲେ। ହେଲେ ଅଧା ବାଟରେ ଗଣେଶ ଅସୁସ୍ଥ ହୋଇପଡ଼ିଥିଲେ। ଟ୍ରେନ୍‌ରେ ପ୍ରବଳ ବାନ୍ତି କରିଥିଲେ। ସୋମବାର ରାତି ପ୍ରାୟ ୧୧ଟା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରେ ଓହ୍ଲାଇ ଥିଲେ। ଚିକିତ୍ସା ହୋଇ ଘରକୁ ଯିବା ପାଇଁ ଦଲାଲ ୫୦୦ ଟଙ୍କା ଦେଇଥିଲେ। ତା’ପରେ ଦଲାଲ ଅନ୍ୟ ଲୋକଙ୍କୁ ଧରି ଚେନ୍ନାଇ ଅଭିମୁଖେ ଚାଲି ଯାଇଥିଲେ।
ଅସୁସ୍ଥ ଗଣେଶ ଓ ସୁଭଦ୍ରା ଭୁବନେଶ୍ୱର ଷ୍ଟେସନରେ ୨ରୁ ୩ ଘଣ୍ଟା ଧରି ବିଶ୍ରାମ ନେଇଥିଲେ। ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟିବାରୁ ସେହି ରାତିରେ ଷ୍ଟେସନ୍‌ରେ ସୁଭଦ୍ରାଙ୍କୁ ବସାଇ ଘରକୁ ଫେରିବା ପାଇଁ ଟିକେଟ୍‌ କାଟିବାକୁ ଯାଇଥିଲେ ଗଣେଶ। ଯାହା ଯାଇଛନ୍ତି ଯେ ଯାଇଛନ୍ତି। ହେଲେ ଫେରିଲେ ନାହିଁ ଗଣେଶ। ରାତି ଯାଇ ଦିନ ହେଲା। ପୁଣି ଦିନ ଯାଇ ରାତି ହେଲା। ହେଲେ ଗଣେଶଙ୍କ ପତ୍ତା ପାଇଲେ ନାହିଁ ସୁଭଦ୍ରା। ସ୍ୱାମୀଙ୍କ ପତ୍ତା ନପାଇ ଭାଇ ପାଖକୁ ଫୋନ୍‌ କରିଥିଲେ ସୁଭଦ୍ରା।
ଭଉଣୀଙ୍କଠାରୁ ଏପରି ଖବର ପାଇ ରାଜଧାନୀ ଭୁବନେଶ୍ୱର ଧାଇଁ ଆସିଥିଲେ ଭାଇ। ଭାଇ ଓ ଭଉଣୀ ରାଜଧାନୀରେ ବହୁ ଖୋଜାଖୋଜି କରିଥିଲେ। ହେଲେ ଗଣେଶଙ୍କ କୌଣସି ଖୋଜଖବର ପାଇଲେ ନାହିଁ। ଶେଷରେ ନିରାଶ ହୋଇ ଘରକୁ ଫେରିଲେ। ଯେଉଁଥିପାଇଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଅନ୍ୟପକ୍ଷରେ ଘରର ଏକମାତ୍ର ରୋଜଗାରିଆ ପୁଅ ନିଖୋଜ ହେବା ପରେ ଭାଙ୍ଗି ପଡ଼ିଛନ୍ତି ବୁଢ଼ି ମାଆ। ଘରେ ଚୁଲି ଜଳୁନି। ଛୁଆମାନେ ମଧ୍ୟ ବାପାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି।

Leave a Reply

Your email address will not be published. Required fields are marked *